କନକ ବ୍ୟୁରୋ : ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଉତ୍ତର ପ୍ରଦେଶର ମେରଠରେ ଭିକ୍ଟୋରିଆ ପାର୍କରେ ଚାଲିଥିବା ରାମକଥା ସମୟରେ ମହିଳା ଏବଂ ଶିକ୍ଷାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଇସଲାମ ଧର୍ମ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ ଇସଲାମରେ ମହିଳାମାନଙ୍କ ଅବନତି ହୁଏ । ସେପ୍ଟେମ୍ବର ୮ରୁ ଚାଲିଥିବା ଏହି ରାମକଥା ବେଳେ ତାଙ୍କର ବୟାନ ସାମ୍ନାକୁ ଆସିଛି । ସ୍ୱାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ ହିନ୍ଦୁ ଧର୍ମ ହିଁ ଏକମାତ୍ର ଧର୍ମ ଯେଉଁଠାରେ ମହିଳାମାନଙ୍କୁ ଦେବୀ କୁହାଯାଏ, ଅନ୍ୟ ଧର୍ମରେ ସେମାନଙ୍କୁ ବେବି ବା ବିବି କୁହାଯାଏ । ସେ ଇସଲାମ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଇସଲାମରେ ମହିଳାମାନଙ୍କ ଅବନତି ହୋଇଛି । ଏଭଳି ସମସ୍ୟା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ । ଜଣେ ମହିଳା ୨୫-୨୫ ପିଲା ଜନ୍ମ କରିବା ଏବଂ ବୃଦ୍ଧ ହେବା ପରେ ତିନି ଥର ତଲାକ ତଲାକ ତଲାକ ଦେଇ ଛାଡ଼ିଦେବା । ‘ୟୁଜ୍ ଆଣ୍ଡ ଥ୍ରୋ’ ଭଳି କଥା ଦେଖିବାକୁ ମିଳେ । ସେ ଦାବି କରିଛନ୍ତି ଯେ ହିନ୍ଦୁ ପରମ୍ପରାରେ ଏଭଳି ହୁଏ ନାହିଁ ଏବଂ ଏଠାରେ ମାଆଙ୍କୁ ପିତାଙ୍କ ଠାରୁ ବଡ଼ ସ୍ଥାନ ଦିଆଯାଏ ।
/filters:format(webp)/kanak/media/media_files/2025/09/18/rama-2025-09-18-11-08-42.jpg)
ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଆହୁରି କହିଛନ୍ତି ଯେ ଅଧିକ ସନ୍ତାନ ଜନ୍ମ କରିବା ଦ୍ୱାରା ବ୍ୟକ୍ତି ନର୍କ ପ୍ରାପ୍ତ କରେ । ୨ ରୁ ୩ ସନ୍ତାନ ଥିବା ଭଲ । ସେମାନେ ତିନି ଝିଅ ହୁଅନ୍ତୁ ବା ପୁଅ ଯେଉଁ ସନ୍ତାନମାନେ ଅଛନ୍ତି, ସେମାନଙ୍କୁ ସଂସ୍କାରି କରନ୍ତୁ । ପିଲାମାନଙ୍କ ଶିକ୍ଷା ଉପରେ କହି ସ୍ୱାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ ଅଭିଭାବକମାନେ ନିଜ ପିଲାମାନଙ୍କୁ କନଭେଣ୍ଟ କିମ୍ବା ମଦ୍ରାସାକୁ ନ ପଠାଇ ସାଂସ୍କୃତିକ ଆଦର୍ଶ ସହିତ ଯୋଡ଼ିବା ପାଇଁ ସରସ୍ୱତୀ ବିଦ୍ୟାଳୟରେ ପଢ଼ାନ୍ତୁ ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ବୟାନ ଚର୍ଚ୍ଚାରେ ଅଛି । ଦୁଇ ଦିନ ପୂର୍ବରୁ ସେ ପଶ୍ଚିମ ଉତ୍ତର ପ୍ରଦେଶକୁ ‘ମିନି ପାକିସ୍ତାନ’ ବୋଲି କହିଥିଲେ । ତାଙ୍କର ଏହି ବୟାନକୁ ନେଇ ଖୁବ୍ ବିବାଦ ହୋଇଥିଲା । ସମାଜବାଦୀ ପାର୍ଟିର ପୂର୍ବ ସାଂସଦ ଡା. ଏସ.ଟି. ହସନ ତାଙ୍କ ବୟାନରେ ତୀବ୍ର ନିନ୍ଦା କରିଥିଲେ । ସେ ଏହାକୁ କେବଳ ମୁସଲମାନମାନଙ୍କର ନୁହେଁ ସମଗ୍ର ପଶ୍ଚିମ ଉତ୍ତର ପ୍ରଦେଶର ଅପମାନ ବୋଲି କହିଥିଲେ । ସ୍ୱାମୀ ରାମଭଦ୍ରାଚାର୍ଯ୍ୟ କହିଥିଲେ ଯେ ହିନ୍ଦୁମାନଙ୍କ ଉପରେ ସଙ୍କଟ ଚାଲିଛି । ନିଜ ଦେଶରେ ହିନ୍ଦୁ ଧର୍ମକୁ ସେତେଟା ନ୍ୟାୟ ମିଳିପାରୁନାହିଁ । ପଶ୍ଚିମ ଉତ୍ତର ପ୍ରଦେଶକୁ ଆସିଲେ ଏମିତି ଲାଗେ ଯେ ଏହା ଏକ ମିନି ପାକିସ୍ତାନ । ଏବେ ଆମକୁ ହିଁ କହିବାକୁ ପଡ଼ିବ । ଆମେ ଏମିତି ହେବାକୁ ଦେବୁ ନାହିଁ । ତେଣୁ ଏବେ ପ୍ରତ୍ୟେକ ଘରେ ହିନ୍ଦୁ ଧର୍ମର ପାଠଶାଳା ତିଆରି କରିବାକୁ ପଡ଼ିବ । ପ୍ରତ୍ୟେକ ମାତା-ପିତାଙ୍କୁ ନିଜ ପିଲାମାନଙ୍କୁ ହିନ୍ଦୁ ଧର୍ମର ଶିକ୍ଷା ଦେବାକୁ ପଡ଼ିବ । ସନାତନ ଧର୍ମ ହିଁ ଏକମାତ୍ର ଧର୍ମ ଯେଉଁଠାରେ ବସୁଧୈବ କୁଟୁମ୍ବକମ୍ ବୋଲି କୁହାଯାଏ । ଆମେ ସମଗ୍ର ବସୁଧାକୁ ହିଁ କୁଟୁମ୍ବ ମାନୁ ।