କନକ ବ୍ୟୁରୋ : ପ୍ରେମ..ପ୍ରତାରଣା..କଳହ ! ଲିଭ ଇନ ରିଲେସନରେ ରହିବା କାଳ ସାଜିଲା । ଓୟୋ ହୋଟେଲ ଛାତରୁ ଖସି ଯୁବତୀଙ୍କ ମୃତ୍ୟୁ । କ୍ୟାମେରାରେ କଏଦ ହେଲା ତିନି ମହଲା ହୋଟେଲ ଛାତରୁ ଖସି ପଡ଼ି ଜୀବନ ଯିବାର ଦୃଶ୍ୟ । ନାଁ ସୋନାଲି ମହାପାତ୍ର, ଘର ନୟାଗଡ଼ । ଦୀର୍ଘ ଦିନ ଧରି ପୁରୁଷ ବନ୍ଧୁ ବିଭୁତି ପ୍ରତିହାରୀଙ୍କ ସହ ଭୁବନେଶ୍ୱର ଜାଗମରା ସ୍ଥିତ ଦାସ୍-ଇନ ଓୟୋ ହୋଟେଲରେ ଲିଭ-ଇନରେ ରହୁଥିଲେ ସୋନାଲି । ସବୁଦିନ ପରି ଗତକାଲି ରାତିରେ ଉଭୟ ସୋନାଲି ଓ ବିଭୁତି କାମ ସାରି ହୋଟେଲକୁ ଫେରିଥିଲେ । ଆଉ ଫେରିବାର କିଛି ସମୟ ପରେ ବିଳମ୍ବିତ ରାତିରେ ହଠାତ୍ ତିନି ମହଲା ଛାତ ଉପରୁ ତଳକୁ ଖସି ପଡ଼ିଥିଲେ ସୋନାଲି ଓ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା ।
ଖବର ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ଓୟୋ ହୋଟେଲରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ଏମ୍ସ ହସ୍ପିଟାଲ ପଠାଇଥବା ବେଳେ ସୋନାଲିଙ୍କ ପରିବାର ଲୋକଙ୍କୁ ଝିଅ ମୃତ୍ୟୁ ନେଇ ଅବଗତ କରିଥିଲା । ସେପଟେ ଖବର ପାଇବା ପରେ ତାଙ୍କ ଝିଅ ଆତ୍ମହତ୍ୟା ନୁହେଁ, ତାକୁ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ମାଆ । ଗୁରୁତ୍ୱପୂର୍ଣ କଥା ହେଉଛି ସୋନାଲି ଓ ବିଭୁତିଙ୍କ ସମ୍ପର୍କ ନେଇ ସୋନାଲିଙ୍କ ମା' ପୂର୍ବରୁ ଅବଗତ ଥିଲେ ।
ତେବେ କେଉଁ ପରିସ୍ଥିତିରେ ସୋନାଲି ଛାତରୁ ଖସିଲେ ? ସେ ନିଜେ ଡେଇଁଲେ ନା ତାଙ୍କୁ ବିଭୁତି ଠେଲିଦେଲେ । ଏହା ଆତ୍ମହତ୍ୟା ନା ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହାର ତଦନ୍ତ କରୁଛି ପୋଲିସ । ସୋନାଲିଙ୍କ ପୁରୁଷ ବନ୍ଧୁ ବିଭୁତି ପ୍ରତିହାରୀକୁ ଅଟକ ରଖି ଖଣ୍ଡଗିରି ଥାନା ପୋଲିସ ଅଧିକ ପଚାର ଉଚୁରା କରୁଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ।