କନକ ବ୍ୟୁରୋ:  ଭୁବନେଶ୍ବର ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଝିଅକୁ ମାରି ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମା’ । ସିସିଟିଭିରେ ଉଭୟ ସାଙ୍ଗ ହୋଇ ଯାଉଥିବାର ଦୃଶ୍ୟ କଏଦ୍‌ ହୋଇଛି । ଏହି ଘଟଣାରେ ଅଧିକ ତନାଘନା ଆରମ୍ଭ କରିଛି ଖଣ୍ଡଗିରି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ ‘ଦାସ୍‌ ଇନ୍‌’ ନାମକ ଏକ ଓୟୋ ହୋଟେଲ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବତୀଙ୍କ ଘର ନୟାଗଡ଼ ଅଞ୍ଚଳରେ । ସେ ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରୁଥିଲେ ।

Advertisment

ପୁରୁଷବନ୍ଧୁ ବିଭୂତି ପ୍ରତିହାରୀଙ୍କୁ ଅଟକ ରଖିଛି ପୁଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ । ପୁଲିସର ସୂଚନା ଅନୁସାରେ ଓୟୋରେ ସେମାନେ ଦୁଇ ମାସ ଧରି ସାଙ୍ଗ ହୋଇ ରହୁଥିଲେ । ପରିବାର ଲୋକଙ୍କୁ ଏନେଇ ଅଧିକ ପଚରାଉଚରା କରାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି । ସାଇଣ୍ଟିଫିକ ଟିମ୍‌ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି । ସେଦିନ ରାତିରେ ପ୍ରକୃତରେ କ’ଣ ଘଟିଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।