କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିକରେ ବୋର୍ଡ ଉପସଭାପତି ନିହାର ମହାନ୍ତି ଗିରଫ ହେବା ପରେ ସନ୍ଦେହ ଅଧିକ ବଢିଛି । ଏହା ପଛରେ ଆଉ କିଏ ଅଛି ସେ ନେଇ ଉଠିଛି ପ୍ରଶ୍ନ ।
ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ବନ୍ଧା ହେବା ପରେ, ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଲିକ୍ର ମୂଳଉତ୍ସ ହେଉଛନ୍ତି କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡର ଡାଟାଏଣ୍ଟ୍ରି ଅପରେଟର ଜୀତନ ମହାରଣା । ବୋର୍ଡ ଉପସଭାପତିଙ୍କ ଲ୍ୟାପଟପ୍ରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସନ୍ଦେହ ବଢୁଛି । ପ୍ରଶ୍ନ ଉଠୁଛି, ଲାପ୍ଟପ୍ରେ ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବାରେ ନିହାର ମହାନ୍ତି କାହିଁକି ଅସମର୍ଥ ହେଲେ? ନିହାର ଓ ଜିତନଙ୍କ ପଛରେ ଆଉ କେଉଁ ବଡ଼ମୁଣ୍ଡ ସାମିଲ ଅଛନ୍ତି? ଜିତନଙ୍କୁ ଛାଡ଼ିଦେଲେ ନିହାର ଆଉ କାହା କାହ ସହ ଫୋନରେ କଥା ହୋଇଥିଲେ?
ଜୀତନ ମହାରଣା ଦୀର୍ଘ ୧୧ ବର୍ଷ ହେଲା କଟକ ବୋର୍ଡ ଅଫିସରେ କାମ କରୁଛନ୍ତି। ତାଙ୍କ କାର୍ଯ୍ୟକଳାପ ପୂର୍ବରୁ ସନ୍ଦେହଜନକ ଥିଲା, ତା ସତ୍ତ୍ବେ ଜୀତନଙ୍କୁ କାହିଁକି ଲ୍ୟାପଟପ ବ୍ୟବହାର କରିବାକୁ ଦେଲେ ନିହାର ମହାନ୍ତି, ତାହା ହିଁ ସବୁଠାରୁ ବଡ ପ୍ରଶ୍ନ । ମାଧ୍ୟମିକ ଶିକ୍ଷା ପରିଷଦରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି ।
୨୦୧୮ରେ ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା
୨୦୨୧ରେ ଓଟିଇଟି ପ୍ରଶ୍ନପତ୍ର ଲିକ୍
୨୦୨୪ରେ ଅଷ୍ଟମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା
ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ସତ ପଦାକୁ ଆସିନାହିଁ । ଏବେ ପୁଣି ଓଟିଇଟି ପ୍ରଶ୍ନପତ୍ର ଲିକରେ ସତ ସାମ୍ନାକୁ ଆସିବ କି?
ଓଟିଇଟି ପ୍ରଶ୍ନପତ୍ର ଲିକ୍ର ଚେର ସାରା ରାଜ୍ୟକୁ ବ୍ୟାପିଛି । ତେଣୁ କହିବାକୁ ଗଲେ, ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ ଉପସଭାପତି ଅଧିକ ଦାୟୀ । ପ୍ରଶ୍ନପତ୍ର ସେଟିଂର ଦାୟିତ୍ୱ ତାଙ୍କର ଥିଲା । ଯେଉଁଠି ପ୍ରଶ୍ନପତ୍ର ଛପାଯାଉଥିଲା, ସେହି କମ୍ପାନୀ ସହିତ ସେ ସମନ୍ୱୟ ରକ୍ଷା କରୁଥିଲେ । ତେଣୁ ପ୍ରଶ୍ନପତ୍ର ଲିକ୍ ପଛର ସିଣ୍ଡିକେଟକୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।