କନକ ବ୍ୟୁରୋ: ସମ୍ବଲପୁର ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ରିଲ୍ସ ସହ ଅନେକ ଆଲବମ କରି ପଶ୍ଚିମ ଓଡିଶାରେ ଲୋକପ୍ରିୟ ହୋଇଥିଲେ ରୁକ୍ ସାନା ବାନୋ।  ଏହି ଗାୟିକାଙ୍କ ଅଚାନକ ମୃତ୍ୟୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ରୁକ ସାନା କିଛି ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ଅସୁସ୍ଥ ହୋଇପଡିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର, ବରଗଡ ଓ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ପରିବାର ଲୋକ ରୁକ ସାନାଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପରିବାର ଲୋକେ ଅଭିଯୋଗ କରିଛନ୍ତି, ସ୍ଲୋ ପଏଜନ ଓ ନିର୍ଯାତନା ଯୋଗୁଁ ରୁକ୍ ସାନାଙ୍କ ମୃତ୍ୟୁ ହୋଇଛି। ଏ ନେଇ ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

କୁହାଯାଉଛି, ରୁକ୍ ସାନା ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିଲେ । ଅତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଅଣାଯାଇଥିଲା । ରୁକ୍ ସାନାଙ୍କ ଏକ ଚିଠି ଏବେ କନକ ନ୍ୟୁଜର ହସ୍ତଗତ ହୋଇଛି । ଏଥିରେ ସେ ଶୀଘ୍ର ତାଙ୍କୁ ସୁସ୍ଥ କରିଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଚିଠିକୁ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇ ଲେଖିଛନ୍ତି ।  ରୁକ ସାନାଙ୍କ ମୃତ୍ୟ ଆଜି ତାଙ୍କ ନିଜ ଜନ୍ମସ୍ଥାନ  ଭବାନୀପାଟଣାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।  ତେବେ ରୁକ୍ ସାନା ବାନୋଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ରୁକୁ ସୁନା ଖଣ୍ଡନ କରିଛନ୍ତି । 

ରୁକୁ ସୁନା ଓ ରୁକ ସାନା ବାନୋ ମିଳିତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଷ୍ଟେଜ ପ୍ରୋଗ୍ରାମ କରିଥିଲେ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ପରିବାର ଲୋକଙ୍କ ଅଭିଯୋଗର କେତେ ସତ୍ୟତା ରହିଛି? ରୁକ ସାନା ବାନୋ ଓ ରୁକୁ ସୁନାଙ୍କ ଭିତରେ କିଛି ବିବାଦ ହୋଇଥଲା କି? ଚିକିତ୍ସାରେ ଅବହେଳା ଆଉ ଏକ କାରଣ କି?