କନକ ବ୍ୟୁରୋ : ବୁକୁଫୁଟା କାନ୍ଦ ପଛର ଦୁଃଖ ଓ କଷ୍ଟ ଝିଅକୁ ହରାଇ ଥିବା ମାଆ ହିଁ ବୁଝିପାରିବ। ବାଲେଶ୍ବର ଜିଲ୍ଲା ମନ୍ଦାରସାହି ପଂଚାୟତର କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ମୃତ୍ୟୁ ଖବର ପାଇ ପହଂଚିଛନ୍ତି ଶୋକ ସନ୍ତପ୍ତ ପରିବାର । 
ଭୋଗରାଇ ବ୍କକ ଦେହୁର୍ଦା ସ୍ଥିତ ଭଡ଼ା ଘରୁ ମହିଳା ଜେଇଇଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବ୍ଳକରେ ମିଟିଂ ସାରି ନିଜ ଭଡ଼ା ଘରକୁ ଫେରିଥିଲେ ମୋନାଲିସା । ସକାଳେ ବିଳମ୍ବ ସମୟ ଯାଏଁ କବାଟ ନଖୋଲିବାରୁ ପଡ଼ୋଶୀ ଝରକା ପଟେ ଦେଖିଲେ ଜେଇଇଙ୍କ ମୃତଦେହ ଫ୍ୟାନରେ ଝୁଲୁଥିଲା । ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଘର ମାଲିକ ।  

Advertisment

ବନ୍ଦ ଭଡ଼ାଘରୁ ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଘର ମାଲିକଙ୍କ ଚାଞ୍ଚଲ୍ୟକର ବୟାନ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି। ଘର ମାଲିକ କହିଛନ୍ତି, ପ୍ରିୟରଞ୍ଜନ କିସ୍କୁ ନାମକ ଜଣେ ଯୁବକ ମହିଳା ଜେଇ ମୋନାଲିସାଙ୍କ ସହ ରହୁଥିଲେ । ଦୁହେଁ ଭାଇ ଭଉଣୀର ପରିଚୟ ଦେଇ ଗୋଟିଏ କୋଠରୀରେ ରହୁଥିଲେ । କିନ୍ତୁ ମୋନାଲିସାଙ୍କ ପରିବାର ସଂପୃକ୍ତ ଯୁବକଙ୍କୁ ଜାଣିନଥିବା କହିଛନ୍ତି । ତେଣୁ ମହିଳା ଜେଇଙ୍କ ମୃତ୍ୟୁ ପଛରେ ପ୍ରିୟରଞ୍ଜନଙ୍କ ଭୂମିକାକୁ ନେଇ ସନ୍ଦେହ ବଢିଛି । ପୋଲିସ ପ୍ରିୟରଞ୍ଜନଙ୍କ ଲଗେଜ ଜବତ କରି ତଦନ୍ତ ଚଳାଇଛି । 

ମୋନାଲିସାଙ୍କ ମୃତ୍ୟୁ ଖବର ପାଇବା ପରେ ଭାଇର ପରିଚୟ ଦେଇ ରହୁଥିବା ପ୍ରିୟରଞ୍ଜନ କିସ୍କୁ ଫେରାର ହୋଇଯାଇଛି । ତେଣୁ ମୋନାଲିସା ମୁର୍ମୁଙ୍କ ମୃତ୍ୟୁ ପଛରେ ପ୍ରିୟରଞ୍ଜନଙ୍କ ଭୂମିକାକୁ ନେଇ ସନ୍ଦେହ ବଢୁଛି ।