କନକ ବ୍ୟୁରୋ: ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଫେସ୍ବୁକ୍ରେ ପୋଷ୍ଟ କରି କହିଲେ,"ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ"
ଗତ କିଛି ଦିନ ହେଲା ବିଜେଡିକୁ ନେଇ ତେରଚ୍ଛା ବାଣ ମାରି ଆସୁଥିଲେ ଶ୍ରୀମୟୀ । ଏହାପରେ ଗତ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହାପରେ ଆଜି ପୁଣି ଥରେ ନାଁ ନନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେପଟେ ଶ୍ରୀମୟୀ ମିଶ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଯକହିଛନ୍ତି, "ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କଠୁ ଶିଖିବୁ ? ଏମିତି କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ । ସିଏ ମାଡାମ କଣ କି ? ସେଭଳି ଲୋକ କେତେ ଅଛନ୍ତି ଆମ ଦଳରେ । ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି ? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି । ସେ କହୁଛନ୍ତି ଦଳରେ ନାହାଁନ୍ତି ତାହାଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା । ନବୀନ ବାବୁ ଆଗରୁ ତାଙ୍କ ପାଇଁ ଭଲ ଥିଲେ ଏବେ କଣ ହେଲା ଖରାପ ହେଇଗଲେ ? ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି ।