ଅଠାକାଠିରେ ବିଜେଡି ; ରାହୁଲ ନା ମୋଦୀ, କାହା ଆଡ଼କୁ ଢଳିବ ବିଜେଡି?

ରାଜ୍ୟରେ ବିଜେପି ସରକାର ବିରୋଧରେ ରାଜରାସ୍ତାରେ ନିଇତି ରଣହୁଙ୍କାର ଦେଉଛନ୍ତି ବିଜେଡି ନେତା । ହେଲେ ଦିଲ୍ଲୀରେ କେନ୍ଦ୍ର ସରକାର ପ୍ରତି ସ୍ବର ଶାଣିତ ହୋଇପାରୁନି । ଏପଟେ ନେତା କହିଲେଣି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ବିରୋଧ କରିବୁ, ହେଲେ ନବୀନ ଚୁପ୍ ।  

51

କନକ ବ୍ୟୁରୋ:  ରାଜ୍ୟରେ ବିଜେପି ସରକାର ବିରୋଧରେ ରାଜରାସ୍ତାରେ ନିଇତି ରଣହୁଙ୍କାର ଦେଉଛନ୍ତି ବିଜେଡି ନେତା। ହେଲେ ଦିଲ୍ଲୀରେ କେନ୍ଦ୍ର ସରକାର ପ୍ରତି ସ୍ବର ଶାଣିତ ହୋଇପାରୁନି। ଏପଟେ ନେତା କହିଲେଣି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ବିରୋଧ କରିବୁ, ହେଲେ ନବୀନ ଚୁପ୍।  

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ତାରିଖ ଘୋଷଣା ସରିଲାଣି। କାହାକୁ ପ୍ରାର୍ଥୀ କରାଯିବ ସେନେଇ ଜୋରଦାର କସରତ କରୁଛନ୍ତି ଏନଡିଏ ଆଉ ଇଣ୍ଡି ମେଣ୍ଟ । ହେଲେ ବିଜେଡିର ଆଭିମୁଖ୍ୟ କ'ଣ ରହିବ? ତା ଉପରେ ରହିଛି ସମସ୍ତଙ୍କର ଆଖି । ବିରୋଧ କରିବ ନା ପୂର୍ବ ଭଳି ଏନ୍‌ଡିଏକୁ ସମର୍ଥନ ଦେବ? ଏସବୁ ଭିତରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ବିଜେଡି ସୁପ୍ରିମୋ, ହେଲେ ନେତା କିନ୍ତୁ ବିଜେପି ନେତୃତ୍ବାଧିନ ଏନ୍‌ଡିଏକୁ ବିରୋଧ ପାଇଁ ହୁଙ୍କାର ଦେଲେଣି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମହେଶ ସାହୁଙ୍କ ବୟାନ ବିଜେଡି ରାଜନୀତିର ପାରଦକୁ ବଢାଇଛି । ସିଧା ସିଧା ମହେଶ କହିଛନ୍ତି, ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କୌଣସି ପ୍ରକାର ସମର୍ଥନ କରିବୁ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ସମର୍ଥନ କରିଥିଲୁ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂଖ୍ୟା ଗଣିତରେ ବହୁ ଆଗରେ ରହିଛି ଏନଡିଏ। ବିଜୟ ପାଇଁ ୩୯୨ଟି ଭୋଟ ଆବଶ୍ୟକ ଥିଲା ବେଳେ ଶାସକ ଦଳ ପକ୍ଷରେ ରହିଛି ୪୨୭ ସାଂସଦଙ୍କ ସମର୍ଥନ। ତେଣୁ ଏନଡିଏକୁ ବିଜେଡିର ସମର୍ଥନ ଲୋଡ଼ା ନାହିଁ। 
ସଂଖ୍ୟା ଗଣିତରେ ଏନଡିଏ ଆଗରେ ।
ମୋଟ ସାଂସଦ ୭୮୨ 
ବିଜୟ ପାଇଁ ଆବଶ୍ୟକ ୩୯୨
ଏନଡିଏ ପାଖରେ ରହିଛି ୪୨୭
ଇଣ୍ଡି ମେଣ୍ଟ ପାଖରେ ରହିଛି ୩୫୫
ବିଜେଡି ପାଖରେ ରହିଛି ୭ଟି ଆସନ
ସେପଟେ କଂଗ୍ରେସ କହିଛି ଏନଡିଏକୁ ଡରୁଛି ବିଜେଡି। ସିବିଆଇ, ଇଡି ଭୟରେ ସମର୍ଥନ ଦେବାକୁ ବାଧ୍ୟ ହେବ ବିଜେଡି। ସେପଟେ ବିଜେପି କହିଛି କଂଗ୍ରେସକୁ ସମର୍ଥନ ଦେଲେ ପ୍ରମାଣିତ ହେବ ଉଭୟ ଏବେ ଭାଇ-ଭାଇ।

ୱାକଫ୍ ବିଲ୍ ସମୟରେ ପଦାରେ ପଡ଼ିଥିଲା କନ୍ଦଳ। ଏନଡିଏକୁ ସମର୍ଥନ ଦେବା ଯୋଗୁଁ ବିଜେଡିର ସଂସଦୀୟ ଦଳ ଦୁଇ ଭାଗ ହୋଇଯାଇଥିଲା। ତେଣୁ ଏବେ ପାର୍ଟି ସୁପ୍ରିମୋ ସଂଶୟରେ ଅଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe