କନକ ବ୍ୟୁରୋ : ଚୌଦ୍ଵାର ଜେଲ୍ ସୁରକ୍ଷା ଭେଦି ବିଚାରଧୀନ ବନ୍ଦୀକୁ ଭେଟିବା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଜି । ଏଣିକି ସବୁ ଜେଲରେ ବନ୍ଦୀଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କର କଡ଼ା ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜେଲ ଡିଜି । ସେପଟେ ବିଚାରଧୀନ ବନ୍ଦୀର ଭାଇ ବୋଲି ପରିଚୟ ସୁଶାନ୍ତ କୋକତେ ନକଲି ଆଧାର କାର୍ଡ କେଉଁଠୁ ତିଆରି କଲା ସେନେଇ ଖୋଳତାଡ଼ କରୁଛି ପୁଲିସ । ନକଲି ଆଧାର କାର୍ଡ ବନାଇ ଗତ ୧୨ତାରିଖରେ ଗିରଫ ହୋଇଥିଲା ଅଭିଯୁକ୍ତ । ବିଚାରାଧୀନ କଏଦୀଙ୍କ ଭେଟିବାକୁ ଆସି ଗିରଫ ହେବା ଘଟଣାର ଆରମ୍ଭ ହୋଇଛି ଖୋଳତାଡ଼ । ଅଭିଯୁକ୍ତ ସୁଶାନ୍ତ କୋକତେ ନକଲି ଆଧାର କାର୍ଡ କରି ବିଚାରଧୀନ କଏଦୀ ଲୋକେଶ ବାବା ନରୁତେର ଭାଇ ବୋଲି ପରିଚୟ ଦେଇଥିଲା । ପୂର୍ବରୁ ମଧ୍ୟ ସେ ଏପରି ସାକ୍ଷାତ କରିଥିଲା । ହେଲେ ୧୨ ତାରିଖ ଦିନ ଜେଲ୍ରେ ଭେଟୁଥିବା ବେଳେ ମାଡ଼ି ବସିଥିଲେ କର୍ମଚାରୀ । ଏ ହେଉଛି ସେଇ ଅଭିଯୁକ୍ତ ସୁଶାନ୍ତ କୋକତେ । କଟକ ଚାନ୍ଦିନୀଚୌକର ସୁଶାନ୍ତ,ନିଜକୁ ଲୋକେଶ ବାବା ନାରୁତେର ଭାଇ ବୋଲି କହିଥିଲା। ଘଟଣାକୁ ଜେଲ୍ ଡିଜି ଗୁରୁତର ସହ ନେବା ସହ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି କଏଦୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତିଙ୍କ ଆଧାର କାର୍ଡ ଯାଞ୍ଚ ସହ ଇ-ପ୍ରିଜନ୍ ପୋର୍ଟାଲରେ ତଥ୍ୟ ରହିବ। ଏଥିସହ କଏଦୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତି ମାନଙ୍କର ବାୟୋମେଟିକ୍ ତଥ୍ୟ ମଧ୍ୟ ରଖାଯିବ।
ସୁଶାନ୍ତ କୋକତେ, ଚୌଦ୍ୱାର ଜେଲ୍ରେ ଥିବା ବିଚାରାଧୀନ କଏଦୀର ସହଯୋଗୀ ବୋଲି ପୁଲିସ ଖୋଳତାଡ଼ରୁ ଜଣାପଡ଼ିଛି । ଏଠି ପ୍ରଶ୍ନ ଉଠୁଛି ଲୋକେଶକୁ ଭେଟିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା? ନକଲି ଆଧାର କାର୍ଡ ସେ କେଉଁଠି ପ୍ରସ୍ତୁତ କଲା? କିଏ ତା’କୁ ଏଥିରେ ସହଯୋଗ କରିଛି ? ଏନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ । ସୁଶାନ୍ତ ନାଁରେ ନୟାପଲ୍ଲୀ, ଯାଜପୁର ଓ ପୁରୀ କୁମ୍ଭାରପଡ଼ା ଥାନାରେ ମାମଲା ରହିଛି ।