କନକ ବ୍ୟୁରୋ: ଏଥର ଏସିଆ କପରେ ଭାରତର ଅଧିନାୟକ ଅଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ । 34 ବର୍ଷୀୟ ଏହି ଖେଳାଳି ପ୍ରଥମଥର ପାଇଁ କୌଣସି ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ହେବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ, ଏହା ତାଙ୍କ ପାଇଁ ଏକ ବିଶେଷ ଅବସର ହେବ । ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଏପର୍ଯ୍ୟନ୍ତ କୌଣସି ଦ୍ୱିପାକ୍ଷିକ ସିରିଜ୍ ହାରିନାହିଁ । ଏବେ ଏସିଆ କପରେ ବି ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ।
ଏସିଆ କପରେ ସୂର୍ଯ୍ୟକୁମାର ଯାଦବ ଏକ ବ୍ୟକ୍ତିଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସୂର୍ଯ୍ୟକୁମାରଙ୍କୁ ବର୍ତ୍ତମାନର ଶ୍ରେଷ୍ଠ ଟି-୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ, କିନ୍ତୁ ସେ ପାକିସ୍ତାନ ବିପକ୍ଷରେ ସଫଳ ହୋଇନାହାନ୍ତି । ପାକିସ୍ତାନ ବିପକ୍ଷରେ ସୂର୍ଯ୍ୟଙ୍କ ରେକର୍ଡ ଖରାପ ରହିଛି । ଟି-୨୦ରେ ସବୁବେଳେ ଦୁର୍ଦ୍ଦଶ ବ୍ୟାଟିଂ କରି ବୋଲରଙ୍କୁ ଛକା ଚୌକା ମାରୁଥିବା ସୂର୍ଯ୍ୟକୁମାରଙ୍କ ବ୍ୟାଟ କିନ୍ତୁ ପାକିସ୍ତାନ ବିପକ୍ଷରେ ଚାଲିପାରିନି । ଏମିତି ସ୍ଥିତିରେ ଏସିଆକପରେ ଅଧିନାୟକ ଭାବେ ଯଦି ସୂର୍ଯ୍ୟ ଫ୍ଲପ୍ ହୁଅନ୍ତି ତେବେ ଭାରତ ବହୁତ ବଡ଼ କ୍ଷତି ସହିବ ।
ପାକିସ୍ତାନ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ଏପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ସ୍କୋର ମାତ୍ର ୧୮ ରନ୍, ଯାହା ସେ ୨୦୨୨ ଏସିଆ କପରେ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ପାକିସ୍ତାନୀ ଦଳ ବିପକ୍ଷରେ 5ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୨.୮୦ ହାରରେ ୬୪ ରନ୍ କରିଛନ୍ତି । ସୂର୍ଯ୍ୟକୁମାର ଏହି ମ୍ୟାଚ୍ ମଧ୍ୟରୁ ଦୁଇଟି ୨୦୨୨ ଏସିଆ କପରେ ଖେଳିଥିଲେ, ଯେଉଁଠାରେ ସେ ପାକିସ୍ତାନୀ ଦଳ ବିପକ୍ଷରେ ୧୮ ଏବଂ ୧୩ ରନ୍ କରିଥିଲେ । ଏସିଆ କପର ସେହି ଦୁଇଟି ମ୍ୟାଚ୍ ଦୁବାଇର ଟର୍ଣ୍ଣିଂ ପିଚ୍ରେ ଖେଳାଯାଇଥିଲା, ଯେଉଁଠାରେ ସୂର୍ୟ୍ୟକୁମାର ବିଫଳ ହୋଇଥିଲେ । ସେ ଟି-୨୦ ବିଶ୍ୱକପର ବିଭିନ୍ନ ସଂସ୍କରଣରେ ବାକି ତିନୋଟି ମ୍ୟାଚ୍ ଖେଳିଥିଲେ । ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ମେଲବୋର୍ଣ୍ଣ ଏବଂ ନ୍ୟୁୟର୍କର ପିଚ୍ରେ ମଧ୍ୟ ସୂର୍ୟ୍ୟକୁମାରଙ୍କ ବ୍ୟାଟ୍ ପାକିସ୍ତାନ ବିପକ୍ଷରେ କାମ କରିନଥିଲା ।
ତେବେ ନଜର ପକାନ୍ତୁ ପାକିସ୍ତାନ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଉପରେ
୨୦୨୧ ଟି-୨୦ ବିଶ୍ୱକପରେ ୧୧ ରନ୍
୨୦୨୨ ଏସିଆ କପରେ ୧୮ ରନ୍
୨୦୨୨ ଏସିଆ କପରେ ୧୩ ରନ୍
୨୦୨୨ ଟି-୨୦ ବିଶ୍ୱକପରେ ୧୫ ରନ୍
୨୦୨୪ ଟି-୨୦ ବିଶ୍ୱକପରେ ୭ ରନ୍
ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ODI କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି । ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି । ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ୮୩ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ୩୮.୨୦ ହାରରେ ଏବଂ ୧୬୭.୦୭ ଷ୍ଟ୍ରାଇକ୍ ରେଟ୍ରେ ୨୫୯୮ ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ରୁ ୪ଟି ଶତକ ଏବଂ ୨୧ଟି ଅର୍ଦ୍ଧଶତକ ଆସିଛି ।
ତେବେ ବର୍ତ୍ତମାନ ଦେଖିବା ବାକି ରହିଲା ସୂର୍ଯ୍ୟକୁମାର ନିଜର ଏହି ଖରାପ ରେକର୍ଡକୁ ଭାଙ୍ଗି ଭାରତକୁ ସଫଳ କରାଇପାରୁଛନ୍ତି କି ନାହିଁ ।