କନକ ବ୍ୟୁରୋ: ଚାଲିଥାଏ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ । ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆବଶ୍ୟକ ଥାଏ ୧୬ ରନ୍ । ଯାହା କିଛି ବି ଅସମ୍ଭବ ନୁହେଁ । କାରଣ ସାମ୍ନାରେ ଥାଆନ୍ତି ହାର୍ଡ ହିଟର ଡେଭିଡ ମିଲର । ବୋଲିଂ କରୁଥାଆନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସମସ୍ତଙ୍କ ଛାତି ଧକ୍ ଧକ୍ । ପାଣ୍ଡ୍ୟାଙ୍କ ଏକ ବଲକୁ ବାଉଣ୍ଡ୍ରି ଆଡ଼କୁ ଛକା ମାରିଲେ ମିଲର । ବଲ ବାଉଣ୍ଡ୍ରି ବାହରକୁ ହିଁ ଚାଲିଯାଇଥିଲା, ହେଲେ ସୂର୍ଯ୍ୟକୁମାର ଅବିଶ୍ୱସନୀୟ ଫିଲ୍ଡିଂ ଏହି ଛକାକୁ କ୍ୟାଚରେ ପରିଣତ କରିଥିଲା । ଆଉ ବିଶ୍ୱକପ ଭାରତ ନାଁରେ ହୋଇଥିଲା । ଏହି ଐତିହାସିକ ମ୍ୟାଚକୁ ଆଜି ପୂରିଛି ବର୍ଷେ । ଆସନ୍ତୁ ଆଜି ମନେପକାଇବା ସେହି ମ୍ୟାଚ କଥା । 

Advertisment

ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ନିଜ ଗ୍ରୁପର ସମସ୍ତ ଦଳକୁ ମାତ ଦେଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଆଉ ସେମିଫାଇନାଲରେ ଇଂଲଣ୍ଡକୁ ଚିତପଟାଙ୍ଗ କରିଦେଇଥିଲା । ପରେ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ତାର ଦ୍ବିତୀୟ ଟାଇଟଲ ଲକ୍ଷ୍ୟରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଥିଲା । 

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ବିରାଟ, ଅକ୍ଷର, ଶିଭମ ଦୁବେଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ସ୍କୋରରେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବିରାଟ କୋହଲି ୭୬, ଅକ୍ଷର ପଟେଲ ୪୭ ଓ ଶିଭମ ଦୁବେ ୨୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୧୭୬ ରନ କରିଥିଲା । 

୧୭୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଦଳ । କ୍ବିଣ୍ଟନ ଡିକକ, ହେନରିଚ୍ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ଭାରତୀୟ ବୋଲରଙ୍କୁ ଚିନ୍ତାରେ ପକାଇଥିଲା । ହେଲେ ସେମାନେ ବେଶି ସମୟ ତିଷ୍ଠି ପାରିନଥିଲେ । କ୍ଲାସେନ ୫୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲରେ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଶେଷ ଓଭର ବେଳକୁ ମିଲର ବି ଦଳର ଚିନ୍ତା ବଢ଼ାଇଦେଇଥିଲେ । ହେଲେ ବାଉଣ୍ଡ୍ରି ପାଖରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲର ଶିକାର ହୋଇ ସୂର୍ଯ୍ୟକୁମାରଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ । ଯାହା ଭାରତକୁ ଦେଇଥିଲା ଏକ ଐତିହାସିକ ବିଜୟର ମୁହୂର୍ତ୍ତ ।

ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ପ୍ରଥମ ଟି-୨୦ ବିଶ୍ୱକପ ନିଜ ନାଁରେ କରିଥିଲା । ଏହାପରେ ଭାରତ ସେ ସୁଯୋଗ ପାଇପାରିନଥିଲା । ହେଲେ ଦୀର୍ଘ ୧୭ ବର୍ଷ ପରେ ୨୦୨୪ରେ ଭାରତ ପୁଣି ଟି-୨୦ ବିଶ୍ୱକପ ବିଜେତା ହୋଇପାରିଥିଲା ।