କନକବ୍ୟୁରୋ : ଆଜିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ । ସକାଳ ୧୦ଟାରେ ପୁରୀ ଜିଲ୍ଲା ଯସୁଆପୁର ଗ୍ରାମ ପଞ୍ଚାୟତର ସାତଶଙ୍ଖ ନିକଟ ଅର୍ଜୁନସିଂପୁର ଗ୍ରାମରୁ ଏହା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟର ରାଜ୍ୟ ସ୍ତରୀୟ ଶୁଭାରମ୍ଭ କରାଯିବ । ଏହି ଉପଲକ୍ଷେ ଡେଲାଙ୍ଗ ପିପିଲିର ବିଧାୟକ ଶ୍ରୀମାନ ଆଶ୍ରିତ ପଟ୍ଟନାୟକଙ୍କ ପୌରହିତ୍ୟରେ ଗୋଟିଏ ସାଧାରଣ ଜନସଭା ଆୟୋଜିତ ହେବ ।
ଏଥିରେ ପଞ୍ଚାୟତରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲାର ଅନ୍ୟ ବିଧାୟକ ମାନେ ଯୋଗ ଦେବେ। ଆଜି ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯିବ । ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏହାପରେ ଲୋକଙ୍କୁ ଘର ମିଳିବ ।
ଏଥିପାଇଁ ପଂଚାୟତିରାଜ ବିଭାଗ ପୁରା ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ତେବେ ଓଡିଶାକୁ କେତେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ମାସ ଭିତରେ ପ୍ରକ୍ରିୟା ସରିବା ପରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ।
ପିଏମ ଆବାସ: ଆବେଦନ ପାଇଁ ସର୍ତ୍ତାବଳୀ
- ମାସିକ ୧୫ ହଜାର ଟଙ୍କା ଆୟକାରୀ ଆବେଦନ କରିପାରିବେ
- ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ
- ସ୍ବାମୀଠାରୁ ଅଲଗା ରହୁଥିବା ମହିଳା ବି ସାମିଲ ହୋଇପାରିବେ
- ଅନଲାଇନ ଓ ପଂଚାୟତ ଅଫିସରେ ହେବ ଆବେଦନ
- ବାଇକ, ଫ୍ରିଜ ଥିଲେ ବି କରିପାରିବେ ଆବେଦନ
- ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକଙ୍କୁ ବି ନୂଆ ଆବେଦନ କରିବାକୁ ହେବ