କନକ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଛତିଶଗଡରେ ସୁରକ୍ଷା କର୍ମୀଙ୍କ ଅପରେସନରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଟପ୍ ମାଓନେତା ଚାଲ୍ଲାପତି, ଓଡ଼ିଶା ମାଓବାଦୀ କମିଟି ମୁଖ୍ୟ ମନୋଜ ଓ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଗୁଡ୍ଡୁ । ଏହି ଅପରେସନରେ ଓଡିଶା ପୁଲିସ ବି ସାମିଲ ହୋଇଥିଲା । ଛତିଶଗଡର ପ୍ରାୟ ୫ କିଲୋମିଟର ଭିତରେ ପଶି ଛତିଶଗଡ ସୁରକ୍ଷାକର୍ମୀ ସହ ଓଡିଶା ଏସଓଜି ଏହି ଅପରେସନ କରିଛନ୍ତି ।

Advertisment
  • ମାଓ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ୍ !
  • ଛତିଶଗଡରେ ପଶିଲା ଓଡିଶା ପୁଲିସ
  • ବଡ ଅପରେସନରେ ୧୬ ନକ୍ସଲ ସଫା 

ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ମାଓ ଠିକଣା ଉପରେ ସୁରକ୍ଷାକର୍ମୀ ବଡ ଅପରେସନ କରିଛନ୍ତି । ଗୁଇନ୍ଦା  ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ । ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, କୋବ୍ରା ଏବଂ ଇ-30 ଯବାନ ଅପରେସନ କରିଥିଲେ । ଆଉ ଅପରେସନ ବେଳେ ୧୬ ମାଓବାଦୀଙ୍କ ମୃତଦେହ ମିଳିଛି । ଏବେ ବି ଅପରେସନ ଚାଲିଥିବାରୁ ଆହୁରି ମୃତଦେହ ମିଳିପାରେ ବୋଲି ଆଶଙ୍କା କରାଯାଉଛି  ।

ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ କେନ୍ଦ୍ରୀୟ କମିଟି ସଦସ୍ୟ ଚାଲ୍ଲାପତି ଓରଫ ରାମଚନ୍ଦ୍ର ରେଡ୍ଡୀ ନିହତ ହୋଇଛନ୍ତି। ତାଙ୍କ ମୁ୍ଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଏଥିସହ ମାଓ କେନ୍ଦ୍ରୀୟ କମିଟି ତଥା ଓଡ଼ିଶା ମାଓବାଦୀ କମିଟି ମୁଖ୍ୟ ମନୋଜ ଏବଂ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଗୁଡ୍ଡୁ ମଧ୍ୟ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏ.କେ- 47, ଏସଏଲଆର, ଇନସାସ୍ ଆଦି ବହୁ ଅତ୍ୟାଧୁନିକ  ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି । ତେବେ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଓବାଦ ସହ ଶେଷ ଲଢ଼େଇ ଚାଲିଛି ।

ଗତ ୬ ତାରିଖରେ ମାଓବାଦୀଙ୍କ ବିସ୍ଫୋରଣରେ ଛତିଶଗଡରେ ୮ ଯବାନ ସହିଦ ହୋଇଥିଲେ । ଏହାର  ପ୍ରତିଶୋଧ ନେବା ପାଇଁ ବଡ଼ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ । ମାଓ ମୁକାବିଲା ପାଇଁ ରାଜ୍ୟ -ରାଜ୍ୟ ମଧ୍ୟରେ ସମନ୍ବୟ ବଢାଯିବ ବୋଲି ଡିଜିପ ସମ୍ମିଳନୀରେ ଗୁରୁତ୍ବ ଦିଆଯିବା ପରେ ଅପରେସନ ଜୋରଦାର ହୋଇଛି ।