କନକ ବ୍ୟୁରୋ : ମାଓବାଦୀ ଲୁଟ୍ କରିଥିବା ବଳକା ବିସ୍ଫୋରକକୁ ପୁଣି ଜବତ କଲା ସୁରକ୍ଷା ବାହିନୀ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଢ଼େଇ ଟନ୍ର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଝାଡ଼ଖଣ୍ଡ ଜରେଇକେଲା ଥାନା ତିରିଲପୋସି ସରଣ୍ଡା ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ମାଟି ତଳୁ ଜବତ କରାଯାଇଛି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ତେବେ ଏହା ପୂର୍ବରୁ ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍ ହେବାର ତିନି ଦିନ ପରେ ସରଣ୍ଡା ଜଙ୍ଗଲର ତିରିଲପୋସିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଥିଲା । ତିରିଲପୋସି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଯବାନମାନେ ଲୁଟ୍ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ । ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍ପିଏଫ୍ କୋବ୍ରା ୨୦୯ ବାଟାଲିୟନ୍ର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍ପିଟାଲ୍ ଓ ପରେ ରାଉରକେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା ।
ତେବେ ଯେଉଁ ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍’ କରି ରହିଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ମାଓ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିଲା । ଉକ୍ତ ସ୍ଥାନରୁ ୟୁନିଫର୍ମ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଥିଲା । ଲୁଟ୍ ବିସ୍ଫୋରକରୁ ୭୦ ପ୍ରତିଶତ ଉଦ୍ଧାର କରାଯାଇଥିଲା ।