କନକ ବ୍ୟୁରୋ : ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନବଦାସ ମୃତ୍ୟୁ ମାମଲାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମାସେ ହେଲାଣି ନବଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଆଉ ଏହି ସମୟରେ ବଡ ବୟାନ ଦେଇଛନ୍ତି ସୁରେଶ ପୂଜାରୀ । କହିଛନ୍ତି, ମୁଁ ସେତେବେଳେ ମୃତ୍ୟୁକୁ ନେଇ ଅନେକ ତଥ୍ୟ ଦେଇଥିଲି ହେଲେ ତାହା ଆଇସୋଲେସନ୍ରେ ରହିଗଲା । ପୁଣି ତଥ୍ୟ ଅଛିଟ୍ଟଏ ଦିଗରେ ତଦନ୍ତ କଲେ ଦୋଷୀ ଧରାପଡ଼ିବ ।
ବିଜେଡି ସରକାର ଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ନବବାବୁ । ସରକାରୀ ଗସ୍ତରେ ଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ସଙ୍ଗେ ସଙ୍ଗେ ସେଠାରେ ସେ ଗୁରୁତର ହୋଇପଡିଥିଲେ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଚିକିତ୍ସା ଲାଗି । ଡାକ୍ତର ସେଠାରେ ଇସିଜି କରିଥିଲେ..ହେଲେ ସେହି ଇସିଜି ରିପୋର୍ଟକୁ ନେଇ କେଁ ଦେଖାଦେଇଥିବା । ପରେ ପରେ ତଦନ୍ତଭାର ଯାଇଥିଲା କ୍ରାଇମବ୍ରାଞ୍ଚକୁ । ହେଲେ ବାବୁମାନେ କାହା ଚାପରେ କେମିତି ତଦନ୍ତ କଲେ ଯେ ଘଟଣାର ଦୁଇବର୍ଷ ପୂରିବାକୁ ବସିଲାଣି ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ ଥିଲେ ସେନେଇ କିଛି ଜଣାପଡ଼ିଲା ନାହିଁ । ଖାଲି ଏତିକି ନୁହେଁ ବରଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ ବି ଭୁଲ ରିପୋର୍ଟ ଦର୍ଶାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହାସହ ଜାଣିଶୁଣି ମାମଲାକୁ ଚପା ଯାଇଥିବା ଅଭିଯୋଗ ହୋଇଛି ।
ଦିନ ଯେତିକି ଗଡୁଛି, ମାମଲାକୁ ନେଇ ସେତିକି ଚାପା ଗୁଞ୍ଜରଣା ସୃଷ୍ଟି ହେଉଛି । ଏହାରି ଭିତରେ ନବଦାସଙ୍କ ଝିଅ ଦୀପାଳି ବି ସିବିଆଇ ତଦନ୍ତ ଦାବି କରିଛନ୍ତି । ହେଲେ ଏବେ ସୁରେଶ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ମାମଲାକୁ ଚାପିବାକୁ କେଉଁଠି ନା କେଉଁଠି ଚକ୍ରାନ୍ତ ସୃଷ୍ଟି ହୋଇଥିଲା । ଆଉ ଏବେ ସରକାର ବଦଳିବା ପରେ ପୁଣି ଥରେ ତଦନ୍ତ ହେବ, ଏବଂ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ମାମଲା ହେବ ବୋଲି କୁହାଯାଉଛି । ତେବେ ସମୟ କହିବ ତଦନ୍ତର ଦିଗ ଯାଉଛି କୁଆଡ଼େ...