କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବା ଭଳି ମାଗଣା ଯୋଜନା ଘୋଷଣା କରିବା ଓ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରକୁ ନେଇ ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ । ଏହା କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହିଁ । ଏହାଦ୍ବାରା ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ ଓ ଲୋକମାନେ କାମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

Advertisment

ଅଧିକ ପଢ଼ନ୍ତୁ : କୋମଳ କାନ୍ଧରେ ପରିବାର ବୋଝ , ଅଧା ରହିଗଲା ପାଠ ପଢ଼ିବାର ସ୍ୱପ୍ନ

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ତାମିଲନାଡ଼ୁ ବିଦ୍ୟୁତ୍ ନିଗମ ଆବେଦନର ଶୁଣାଣି କରି କାହିଁକି ଶେଷ ମୁହୂର୍ତ୍ତରେ ଏକ ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରାଯାଇଥିଲା ବୋଲି ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହି ଯୋଜନା ଫଳରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ ଶୁଳ୍କ ଏବଂ ବଜେଟ୍ ହିସାବକୁ ସଜାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ସୁପ୍ରିମ‌କୋର୍ଟ କହିଥିଲେ । ଉପଭୋକ୍ତାଙ୍କ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ନଦେଇ ସମସ୍ତଙ୍କୁ ମାଗଣା ବିଦ୍ୟୁତ ଦେବା ଘୋଷଣାକୁ ନେଇ କୋର୍ଟ ତୀବ୍ର ସମାଲୋଚନା କରିଥିଲେ । 

ମାଗଣା ସେବା ସଂସ୍କୃତିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ଖଣ୍ଡପୀଠ କହିଥିଲେ , ଏହା ଅର୍ଥନୈତିକ ବିକାଶରେ ବାଧା ଦିଏ ଏବଂ ଏପରି ନୀତିଗୁଡ଼ିକୁ ପୁନଃବିଚାର କରିବାର ସମୟ ଆସିଛି । ଟିକସଦାତାଙ୍କ ବ୍ୟତୀତ ଅନ୍ୟ କିଏ ଏହି ଯୋଜନାର ବ୍ୟୟଭାର ଉଠାଉଛି କି ? ସରକାର ଏସବୁ ମାଗଣା ଯୋଜନା କରିବା ଅପେକ୍ଷା ରୋଜଗାର ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ । ରାଜ୍ୟରେ ବିକାଶ ଉପରେ କମ୍‌ ଖର୍ଚ୍ଚ କରାଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।