କନକ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରମାନେ ସାରାଦେଶରେ ବିକ୍ଷୋଭ ପଦର୍ଶନ କରୁଥିବାରୁ ରୋଗୀ ସେବା ପ୍ରଭାବିତ ହୋଇଛି। ଏମ୍ସ ରେସିଡେଣ୍ଟ ଡାକ୍ତରମାନେ କରିଥିବା ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟରୁ ଫେରିଯିବାକୁ ଆହ୍ୱାନ କରିଛନ୍ତି। ପରେ ଡାକ୍ତରମାନେ ଧର୍ମଘଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଏହା ଗଣ ଦୁଷ୍କର୍ମ ମାମଲା ନୁହେଁ ବୋଲି ତଦନ୍ତରୁ ଜଣାପଡିଛି।
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଆଜି ଡାକ୍ତରମାନଙ୍କୁ ଧର୍ମଘଟ ପ୍ରତ୍ୟାହାର କରିବାକୁ ନିବେଦନ କରିବା ପରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହର କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିବା ଉଚିତ୍। ଏଥିସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ପରେ ଏମ୍ସ ପକ୍ଷରୁ ୧୧ ଦିନର ବିକ୍ଷୋଭ ସମାପ୍ତ କରିବାକୁ ନିଷ୍ପତ୍ତି ନିଯାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଡାକ୍ତର ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପିଡ଼ୀତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏହା ଗଣଦୁଷ୍କର୍ମ ନୁହେଁ ବୋଲି ଜଣାପଡିଛି। ଅଭିଯୁକ୍ତ ସଞ୍ଜୟ ରୟ ହିଁ ଦୁଷ୍କର୍ମକାରୀ ବୋଲି ତଦନ୍ତ ରିପୋର୍ଟରୁ ଜଣାପଡିଛି। ଫୋରେନସିକ୍ ରିପୋର୍ଟରେ ସଞ୍ଜୟ ରୟ ଦୁଷ୍କର୍ମ ଓ ହତ୍ୟାକାରୀ ବୋଲି କହୁଛି। ଡିଏନଏ ରିପୋର୍ଟରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ତେବେ ଏହି ମାମଲାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପେଟ ଅଭିଯୁକ୍ତର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେଦିନ ରାତି ୨.୩୦ ମିନିଟରେ ଅଭିଯୁକ୍ତଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ତେବେ ସିବିଆଇ ଦାଖଲ କରିଥିବା ରିପୋର୍ଟରେ କହିଛି ଯେ, ଅଭିଯୁକ୍ତ ସଞ୍ଜୟ ରୟ ବହୁତ କ୍ରୁର ଥିଲା। ତାଙ୍କ ଭିତରେ ଆବେଗ ନଥିଲା। ପୀଡ଼ିତାଙ୍କ ସହ ପଶୁଙ୍କ ଭଳି ବ୍ୟବହାର କରିଥିଲା। ତେବେ ଶୁକ୍ରବାର ଅଭିଯୁକ୍ତକୁ ସିବିଆଇ କୋର୍ଟରେ ହାଜର କରିବାର ଅଛି।
ତେବେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଅଧିକ ସମୟ କାର୍ଯ୍ୟ କରୁଥିବାରୁ ଡାକ୍ତରଙ୍କୁ ପ୍ରସଂଶା କରିଛନ୍ତି। ଆଉ କହିଛନ୍ତି, ଡାକ୍ତରମାନେ କାର୍ଯ୍ୟକୁ ଫେରିଗଲେ, ପୁନର୍ବାର ସବୁକିଛି ଠିକ୍ ଚାଲିବ। ଯଦି ପରେ ଅସୁବିଧା ହୁଏ, ତେବେ ତାଙ୍କ ପାଖକୁ ଆସନ୍ତୁ। କିନ୍ତୁ ପ୍ରଥମେ ସେମାନେ କାର୍ଯ୍ୟରେ ଯୋଗ ଦଅନ୍ତୁ।