କନକ ବ୍ୟୁରୋ: ସଂଶୋଧିତ ୱାକଫ୍ ଆଇନ- ୨୦୨୫ର କିଛି ଧାରା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ଆଇନ ଉପରେ ରୋକ୍ ଲଗାଯାଇନାହିଁ । ସଂସଦରେ ସଂଶୋଧିତ ୱାକଫ୍ ଆଇନ- ୨୦୨୫ ଗୃହୀତ ହେବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଶୁଣାଣି ଶେଷ ହୋଇଥିବା ବେଳେ ଆଜି ରାୟ ଆସିଛି । 

Advertisment

ସଂଶୋଧିତ ୱାକଫ୍ ଆଇନ -୨୦୨୫  ବିରୋଧରେ ରୁଜୁ  ହୋଇଥିବା ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସମ୍ପୂର୍ଣ୍ଣ ଆଇନ ଉପରେ ସ୍ଥଗତାଦେଶ ଜାରି କରାଯାନାହିଁ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଆଇନର କିଛି ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି । ସଂଶୋଧିତ ଆଇନ ଅନୁସାରେ, ୱାକଫ୍ ଗଠନ ପାଇଁ ୫ ବର୍ଷ ଧରି ଇସଲାମ ଧର୍ମ ପାଳନ କରିଥିବା ଆବଶ୍ୟକ । ୱାକଫ୍ ପାଇଁ ୫ ବର୍ଷ ଇସଲାମ ଧର୍ମ ଗ୍ରହଣ ସର୍ତ୍ତ ଉପରେ ରୋକ୍ ଲଗାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଏବଂ ବିଚାରପତି ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ । ଜଣେ ବ୍ୟକ୍ତି ଇସଲାମ ଧର୍ମର କି ନାହିଁ, ତାହା ସ୍ଥିର କରିବା ପାଇଁ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇପାରିବ ନାହିଁ । 

ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ୱାକଫ୍ ବୋର୍ଡରେ ୩ ଜଣରୁ ଅଧିକ ଅଣମୁସଲମାନ ସଦସ୍ୟ ରହିବେ ନାହିଁ । ସଂଶୋଧିକ ୱାକଫ୍ ଆଇନ - ୨୦୨୫ରେ ଥିବା ରାଜସ୍ୱ ରେକର୍ଡ ସମ୍ପର୍କିତ ଧାରା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ୱାକଫ୍ ଜମି କି ସମ୍ପତ୍ତି ସମ୍ପର୍କିତ କୌଣସି ମାମଲାର ସମାଧାନ ଜିଲ୍ଲାପାଳ କରିପାରିବେ ନାହିଁ ।  ବିବାଦର ସମାଧାନ ଅଦାଲତରେ ହିଁ ହେବ । ୱାକଫ ବୋର୍ଡର ସିଇଓ ଜଣେ ମୁସଲମାନ ହିଁ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂଶୋଧିତ ୱାକଫ୍ ଆଇନ -୨୦୨୫ ଉପରେ ସ୍ଥଗିତାଦେଶ ଦେବାର ଆବଶ୍ୟକତା ନାହିଁ । କେବଳ ଆଇନର କିଛି ଧାରା ବା ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ସଂସଦରେ ସଂଶୋଧିତ ୱାକଫ୍ ଆଇନ- ୨୦୨୫ ଗୃହୀତ ହେବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ୨୫ଟି ମାମଲା ରୁଜୁ ହୋଇଥିଲା । ଏସବୁ ଉପରେ ସୁପ୍ରିମକୋର୍ଟ ଲଗାତାର ତିନିଦିନ ଶୁଣାଣି କରି ଗତ ମେ’ ମାସ ୨୨ ତାରିଖରେ ରାୟ ସଂରକ୍ଷିତ କରିଥିଲେ ।