କନକ ବ୍ୟୁରୋ: ତାମିଲନାଡୁର କ୍ଷମତା ଲଢ଼େଇରେ ଆଜି ରାଜ୍ୟ ସରକାରଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ସେପଟେ ବଢ଼ିଛି ରାଜ୍ୟପାଳଙ୍କ ଚିନ୍ତା । ୧୦ ବିଲ୍କୁ ମଞ୍ଜୁରୀ ଦେବାରେ ବିଳମ୍ବ ନେଇ ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିବା ସହ କ୍ଷମତାର ଅପବ୍ୟବହାର ନକରିବାକୁ ତାଗିଦ କରାଇଛନ୍ତି ।
- ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ, ରାଜ୍ୟପାଳ ଚିନ୍ତିତ
- ବିଲ୍ ମଞ୍ଜୁରୀରେ ବିଳମ୍ବ, ରାଗିଲେ ସର୍ବୋଚ୍ଚ ଅଦାଲତ
କାହିଁକି ପାରିତ ୧୦ ବିଲ୍କୁ ଏଯାଏଁ ମିଳିନି ମଞ୍ଜୁରୀ ? କାହିଁକି ଆଇନରେ ପରିଣତ ହେବାରେ ବିଳମ୍ବ ହେଉଛି ? କ୍ଷମତାର ଅପବ୍ୟବହାର ନା’ ଖାମଖିଆଲି ମନୋବୃତ୍ତି ? ଏଭଳି କିଛି ପ୍ରଶ୍ନ ପଚାରି ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବିଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ସର୍ବ ସହମତିରେ ବିଧାନସଭାରେ ବିଲ୍ ପାରିତ ହେଉଛି ତେବେ ଏହାକୁ ମଞ୍ଜୁରୀ ଦେବାରେ କେଉଁଠି ପେଞ୍ଚ ରହିଛି ବୋଲି ଜଷ୍ଟିସ ଜେବି ପାଦ୍ରୀୱାଲା ଓ ଜଷ୍ଟିସ ମହାଦେବନଙ୍କଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ତାମିଲନାଡୁ ରାଜ୍ୟପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା
-ଯଦି ବିଧାନସଭାରେ ଗୃହୀତ କୌଣସି ବିଲ ମଞ୍ଜୁରୀ ପାଇଁ ଆସେ, ତେବେ ମାସକ ଭିତରେ ବିଚାର କରିପାରିବେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରିବେ
-ଗୋଟିଏ ବିଲ୍ ପୁଣିଥରେ ବିଧାନସଭାରେ ଗୃହୀତ ହୋଇ ମଞ୍ଜୁରୀ ପାଇଁ ଆସେ, ତେବେ ରାଜ୍ୟପାଳ ୩୦ଦିନରେ ମଞ୍ଜୁରୀ ଦେବେ
-ଏହା ପାଳନ ନହେଲେ ରାଜ୍ୟପାଳଙ୍କ କାର୍ଯ୍ୟ କୋର୍ଟଙ୍କ ଯାଞ୍ଚ ପରିସରଭୁକ୍ତ ହେବ
ସେପଟେ କୋର୍ଟଙ୍କ ରାୟକୁ ଐତିହାସିକ ବିଜୟ କହିଛି ଡିଏମକେ । ଯଦି ନଜର ପକାଯାଏ ତାମିଲନାଡ଼ୁ ସରକାର ଓ ରାଜ୍ୟପାଳଙ୍କ ବିବାଦ ଉପରେ ତେବେ ଏହା ବେଶ ଦୀର୍ଘଦିନର । ରାଜ୍ୟପାଳ ଏକାଧିକ ଗୃହୀତ ବିଲକୁ ରୋକିଥିବା ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ତାମିଲନାଡୁ ସରକାର । ତେବେ ୨୦୨୧ରେ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ଆରଏନ ରବି ଓ ସେବେଠୁ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବିବାଦ ଚାଲିଛି ।