କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ ଏକ ମାମଲାରେ ଦେଶର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ସମୟ ସୀମା ସ୍ଥିର କରିଛନ୍ତି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି କି, ରାଜ୍ୟପାଳଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ପଠା ଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ବାଧ୍ୟତାମୂଳକ । ଏପ୍ରିଲ ୮ ତାରିଖରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ଏଥିରେ କୋର୍ଟ କହିଥିଲେ କି ବିଧାନସଭା ତରଫରୁ ରାଜ୍ୟପାଳଙ୍କୁ ପଠାଯାଉଥିବା ବିଲ୍ ଉପରେ ରାଜ୍ୟପାଳ ଗୋଟିଏ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଧ୍ୟ ।
କେବଳ ସେତିକି ନୁହେଁ ଏହି ମାମଲାରେ କୋର୍ଟ କହିଥିଲେ କି ଆମକୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମାକୁ ଗ୍ରହଣ କରିବା ଉଚିତ ଓ ନିଷ୍ପତ୍ତି କରୁଛୁ କି, ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ବିଚାର ପାଇଁ ପଠା ଯାଉଥିବା ବିଲ୍ ଉପରେ ତିନିମାସ ମଧ୍ୟରେ ନିର୍ଣ୍ଣୟ ନେବାର ଆବଶ୍ୟକତା ରହିଛି । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ରାଷ୍ଟ୍ରପତିଙ୍କୁ କୋର୍ଟଙ୍କ ନିକଟରେ ଏହାର ଉଚିତ କାରଣ ଦର୍ଶାଇବାକୁ ପଡିବ । ଏବଂ ଏହାସହ ସମାନ କାରଣ ସଂପୃକ୍ତ ମାମଲା ସହିତ ଜଡିତ ରାଜ୍ୟକୁ ସୂଚାଇବାକୁ ପଡିବ । ସେପଟେ ରାଜ୍ୟ ସରକାର ବି ସକରାତ୍ମକ ସହଯୋଗ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।
ଏହାସହ କୋର୍ଟ କହିଛନ୍ତି କି, ଯେଉଁଠି ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପାଇଁ ବିଲ୍ ସଂରକ୍ଷିତ ରଖୁଛନ୍ତି ଓ ରାଷ୍ଟ୍ରପତି ସହମତି ଦେଉନାହାଁନ୍ତି, ତେବେ ରାଜ୍ୟ ସରକାର ନ୍ୟାୟାଳୟରେ ଏନେଇ ମାମଲା ଦାଖଲ କରିପାରିବେ । ସେପେଟ ସମ୍ବିଧାନର ଧାରା ଅନୁଛେଦ ୨୦୦ ମୁତାବକ ରାଜ୍ୟପାଳଙ୍କୁ ବିଧାନସଭାରେ ପାରିତ ବିଧେୟକୁ ଗ୍ରହଣ କରିବା, ଗ୍ରହଣ ନକରିବା ଓ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ଅଧିକାର ଦିଆଯାଇଛି ।