ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ବିଜେପି ମନ୍ତ୍ରୀ ବିଜୟ ଶାହଙ୍କ ଦ୍ଵାରା ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୁଦ୍ଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କର କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ମାମଲାର ତଦନ୍ତ ପାଇଁ କୋର୍ଟ ଏକ ସ୍ଵତନ୍ତ୍ର ତଦନ୍ତ ଦଳ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଆଇଟିର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀ ରହିବେ, ଯେଉଁଥିରେ ଜଣେ ମହିଳା ଅଧିକାରୀ ଅନ୍ତର୍ଭୁକ୍ତ ହେବେ । ଏହାସହ କୋର୍ଟ ଶାହଙ୍କ ଗିରଫଦାରୀକୁ ମେ’ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଏବଂ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 
 
ବିଜୟ ଶାହ ମଧ୍ୟପ୍ରଦେଶର ଇନ୍ଦୋର ନିକଟସ୍ଥ ଏକ କାର୍ଯ୍ୟକ୍ରମରେ କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉଦ୍ଦେଶ୍ୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ମନ୍ତ୍ରୀ କହିଥିଲେ , ଯେଉଁମାନେ ଆମ ଝିଅମାନଙ୍କୁ ବିଧବା କରିଛନ୍ତି, ଆମେ ସେମାନଙ୍କ ସମାଜର ଜଣେ ବୋହୂଙ୍କୁ ପଠାଇ ସେମାନଙ୍କୁ ଶିକ୍ଷା ଦେଇଛୁ । ଏହି ମନ୍ତବ୍ୟ କ୍ୟୁରେଶୀଙ୍କ ପ୍ରତି ଇଙ୍ଗିତ କରୁଥିବା ବେଳେ ଏହା ଦେଶବ୍ୟାପୀ ତୀବ୍ର ବିରୋଧ ଓ ଆକ୍ରୋଶର କାରଣ ହୋଇଥିଲା । କର୍ଣ୍ଣେଲ କ୍ୟୁରେଶୀ ପାକିସ୍ତାନ ବିରୁଦ୍ଧରେ ଭାରତର ‘ଅପରେସନ ସିନ୍ଦୂର’ର ମିଡିଆ ବ୍ରିଫିଂରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମଧ୍ୟପ୍ରେଦଶ ହାଇକୋର୍ଟ ମେ’ ୧୪ ରେ ଏହି ମନ୍ତବ୍ୟକୁ ଗୁରୁତର ଭାବେ ଗ୍ରହଣ କରି ଶାହଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

Advertisment

ଶାହଙ୍କ ମନ୍ତବ୍ୟକୁ ହାଇକୋର୍ଟ "ଅସଭ୍ୟ'' ଓ "ଅପମାନଜନକ'' ବୋଲି କହିଥିଲେ । ଏହା ପରେ ଶାହ ଏକ ଭିଡିଓ ବାର୍ତ୍ତା ଜାରି କରି କ୍ଷମା ମାଗିଥିଲେ ଏବଂ କହିଥିଲେ ତାଙ୍କ ମନ୍ତବ୍ୟ ଦ୍ଵାରା କାହାର ମନକୁ ଆଘାତ ଲାଗିଥିଲେ ସେ ଦଶ ଥର କ୍ଷମା ମାଗିବେ । କିନ୍ତୁ ସୁପ୍ରିମକୋର୍ଟ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ୍‌. କୋଟିଶ୍ଵର ସିଂଙ୍କ ବେଞ୍ଚ୍ ଏହି କ୍ଷମାକୁ "କୁମ୍ଭୀର କାନ୍ଦଣା'' ବୋଲି ବର୍ଣ୍ଣନା କରି ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ କହିଛନ୍ତି,ଯେଉଁ ଅସଭ୍ୟ ମନ୍ତବ୍ୟ ମନ୍ତ୍ରୀ ଦେଇଛନ୍ତି ତାହା ସମଗ୍ର ଦେଶ ପାଇଁ ଲଜ୍ଜାଜନକ । ଏହି ଘଟଣା ରାଜନୈତିକ ବିବାଦର କାରଣ ହୋଇଛି । ବିଜେପି ଶାହଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ବିରୋଧୀ ଦଳ କଂଗ୍ରେସ ତୀବ୍ର ସମାଲୋଚନା କରିଛି । କ୍ୟୁରେଶୀଙ୍କ ପରିବାର ମଧ୍ୟ ଶାହଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସଆଇଟି ତଦନ୍ତର ପ୍ରଥମ ରିପୋର୍ଟ ମେ’ ୨୮ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।