କନକ ବ୍ୟୁରୋ: ତେଲେଙ୍ଗାନା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଏହି ପିଟିସନରେ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରେବନ୍ତ ରେଡ୍ଡୀ କହିଥିଲେ ଯେ ଯଦି ବିଜେପି ତେଲେଙ୍ଗାନାରେ କ୍ଷମତାକୁ ଆସେ ତେବେ ସେ ସଂରକ୍ଷଣ ଶେଷ କରିଦେବ । ଯାହାକୁ ନେଇ ସେହି ସମୟରେ ତେଲେଙ୍ଗାନା ରାଜନୀତିରେ ତୁମ୍ବିତୋଫାନ ଉଠିଥିଲା । 

Advertisment

ପ୍ରଧାନ ବିଚାରପତିଙ୍କ (CJI) ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ଏହି ମାମଲାକୁ ଖାରଜ କରି କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟକୁ ରାଜନୈତିକ ଲଢେଇ ପାଇଁ ମଞ୍ଚରେ ପରିଣତ କରାଯିବା ଉଚିତ୍ ନୁହେଁ । ବି.ଆର. ଗୱାଇ କହିଛନ୍ତି ଯେ, "ଯଦି ଆପଣ ଜଣେ ରାଜନେତା, ତେବେ ଆପଣଙ୍କୁ ଏହି ସବୁ ଜିନିଷକୁ ସହ୍ୟ କରିବା ପାଇଁ ମୋଟା ଚମଡା ରଖିବାକୁ ପଡ଼ିବ।"

ପ୍ରଧାନ ବିଚାରପତି (CJI) ବି.ଆର. ଗୱାଇ, ବିଚାରପତି କେ. ବିନୋଦ ଚନ୍ଦ୍ରନ୍ ଏବଂ ବିଚାରପତି ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ ଇଚ୍ଛୁକ ନୁହନ୍ତି । ଖଣ୍ଡପୀଠ କହିଛନ୍ତି, "ଆମେ ବାରମ୍ବାର କହୁଛୁ ଯେ ଏହି କୋର୍ଟକୁ ରାଜନୈତିକ ଲଢେଇ ପାଇଁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଜଣେ ରାଜନେତା, ତେବେ ଆପଣଙ୍କୁ ମୋଟା ଚମଡା ରଖିବାକୁ ପଡିବ । ଏହା ଏକ ରାଜନୈତିକ ବିବାଦ ଆଉ କିଛି ନୁହେଁ ।"

ବିଜେପିର ତେଲେଙ୍ଗାନା ୟୁନିଟ୍  ୨୦୨୪ ମେ' ମାସରେ ରେଡ୍ଡୀଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ସେ ବିଜେପି ବିରୋଧରେ ଅପମାନଜନକ ଏବଂ ଉତ୍ତେଜକମୂଳକ ଭାଷଣ ଦେଇଥିଲେ । ଅଭିଯୋଗ କରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତେଲେଙ୍ଗାନା କଂଗ୍ରେସ ସହିତ ମିଶି ଏକ ମିଥ୍ୟା ଏବଂ ରାଜନୈତିକ କାହାଣୀ ଗଢିଛନ୍ତି । ବିଜେପି ଦାବି କରିଥିଲା ଏକ ରାଜନୈତିକ ଦଳର ନେତା ଭାବେ ରେବନ୍ତଙ୍କ ଭାଷଣ ବିଜେପିର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି ।  

ଏକ ନିମ୍ନ ଅଦାଲତ ଗତ ବର୍ଷ ଅଗଷ୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଥିଲା । ନିମ୍ନ ଅଦାଲତରେ ରାୟ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଆସିଥିଲା ଏହାପରେ ବିଜେପି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏଥିରେ ବି ଫେଲ ମାରିବା ପରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଆଜି ଏହି ପିଟିସନ୍‌କୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାଫଳରେ ତେଲେଙ୍ଗାନା ବିଜେପିକୁ ଝଟକା ଲାଗିଛି । କୋର୍ଟ କହିଛନ୍ତି ଯେ ରାଜନୈତିକ ଭାଷଣକୁ ମାନହାନିର ବିଷୟ ବୋଲି କୁହାଯାଇପାରିବ ନାହିଁ ।