କନକ ବ୍ୟୁରୋ : ନିର୍ବାଚନରେ ବାଲାଟ ପେପର ବ୍ୟବହାର ଆବେଦନ ଖାରଜ। ଆଜି ସୁପ୍ରିମକୋର୍ଟ ଏହା ଉପରେ ଏକ ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେ.ଏ. ପାଲ୍ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବାରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଆବେଦନକୁ ଖାରଜ କରି କହିଛନ୍ତି, "ଯେତେବେଳେ ନିର୍ବାଚନରେ ବିଜୟ ହୁଅ, ସେତେବେଳେ କ'ଣ ହୁଏ, ସେତେବେଳେ ଟାମ୍ପରିଂ ହୁଏନି । ଯେତେବେଳେ ହାରିଯାଉଛ, ସେବେ ଟାମ୍ପର ହୋଇଯାଉଛି।" ସେହିପରି ଆବେଦନକାରୀ ପାଲ୍ ମଧ୍ୟ ନିର୍ବାଚନରେ କ୍ୟାଶ୍-ଫର୍-ଭୋଟ୍ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି ।
‘ଇଭିଏମକୁ ହଟାଯାଉ, ବାଲଟ୍ ପେପରକୁ ଅଣାଯାଉ’ ଏଭଳି ଦାବି ନେଇ ପୁଣି ରାଜରାସ୍ତାକୁ ଓଲ୍ହାଇବ କଂଗ୍ରେସ । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜି ସମ୍ବିଧାନ ଦିବସ ଅବସରରେ ଦିଲ୍ଲୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବେଳେ ଇଭିଏମର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏଥିସହିତ ଦେଶରେ ସ୍ବଚ୍ଛ ନିର୍ବାଚନ ପାଇଁ ଇଭିଏମ ବଦଳରେ ବାଲଟ ପେପରର ବ୍ୟବହାର ପୁଣି କରିବା ପାଇଁ କଂଗ୍ରେସ ଲୋକଙ୍କୁ ସଚେତନ କରାଇବ । ଏହି କ୍ରମରେ ଆଗକୁ ଦଳ ତରଫରୁ ଦେଶବ୍ୟାପୀ ଯାତ୍ରା ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।