କନକ ବ୍ୟୁରୋ: ବାଲ୍ୟ ବିବାହ ରୋକିବା ପାଇଁ ଜାରି ହୋଇଛି ନୂଆ ନିର୍ଦେଶାବଳୀ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସୁପ୍ରିମକୋର୍ଟ ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ଏଣିକି ବାଲ୍ୟ ବିବାହ ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ଅଧିକାରୀ । ଓଡିଶାର ସମାଜସେବୀ ଅଳକା ସାହୁଙ୍କ ପାଇଁ ମଜଭୁତ ହେଲା ବାଲ୍ୟ ବିବାହ ନିଷେଧ ଆଇନ ।
- ବାଲ୍ୟ ବିବାହ ଉପରେ ଲାଗିବ ରୋକ
- ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶାବଳୀ
ଦିନକୁ ଦିନ ବଢିଚାଲିଛି ବାଲ୍ୟ ବିବାହ । ବାଲ୍ୟ ବିବାହ ରୋକିବାରେ ଫେଲ ମାରିଛି ଭାରତର ଆଇନ ବ୍ୟବସ୍ଥା । କିନ୍ତୁ ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶାବଳୀ କମାଇବ ବାଲ୍ୟ ବିବାହ । ବାଲ୍ୟ ବିବାହକୁ ରୋକିବା ପାଇଁ କେନ୍ଦ୍ର ସରକାର ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀରେ ଆଇନ ଶୃଙ୍ଖଳା, ନ୍ୟାୟିକ ପଦକ୍ଷେପ, ସମ୍ପ୍ରଦାୟର ଯୋଗଦାନ, ସଚେତନତା ଅଭିଯାନ, ଦକ୍ଷତା ବୃଦ୍ଧି,ଶିକ୍ଷାଗତ ସହାୟତା ଏବଂ ରିପୋର୍ଟ ପାଇଁ ବୈଷୟିକ ଚାଳିତ ପଦକ୍ଷେପକୁ ଅନ୍ତର୍ଭୁକ୍ତ କରାଯାଇଛି ।
ନିର୍ଦ୍ଦେଶାବଳୀ ଅନୁଯାୟୀ..
- ପ୍ରତି ରାଜ୍ୟ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିକାରୀ ନିଯୁକ୍ତ କରିବେ
- ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ତ୍ରୈୟମାସିକ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେବ
- ପ୍ରତି ୬ ମାସରେ ବାଲ୍ୟ ବିବାହ ସମ୍ପର୍କିତ ପ୍ରଶିକ୍ଷଣ ନେବେ ବାଲ୍ୟ ବିବାହ ନିଷେଧ ଅଧିକାରୀ
- ବାଲ୍ୟ ବିବାହ ହେଲେ ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡେଣ୍ଟ ହେବେ ଦାୟୀ
- ସ୍ୱତନ୍ତ୍ର ଜୁଭେନାଇଲ ପୋଲିସ ୟୁନିଟ ଗଠନ କରାଯିବ
ପ୍ରତି ରାଜ୍ୟରେ ରାଜ୍ୟ ବାଲ୍ୟ ବିବାହ ନିଷେଧ ୟୁନିଟ ଗଠନ ହେବ। ଏଥିରେ ୫ ଜଣ ସାମାଜିକ କର୍ମୀ ରହିବେ । ସେଥିରେ ରହିବେ ଦୁଇ ମହିଳା। ଏଥିସହ ଗ୍ରାମାଞ୍ଚଳ ସ୍ତରରେ ବି ବାଲ୍ୟ ବିବାହ ରୋକିବା ପାଇଁ ନିଆଯାଇଛି ଅନେକ ପଦକ୍ଷେପ।
ଏହି ଐତିହାସିକ ନିର୍ଦ୍ଦେଶାବଳୀ ପଛରେ ରହିଛି ଜଣେ ଓଡିଆ ମହିଳାଙ୍କ ଅବଦାନ । ବାଲ୍ୟ ବିବାହ ରୋକିବା ପାଇଁ ଦୀର୍ଘ ବର୍ଷ ଧରି ଲଢେଇ କରୁଥିବା ଅଳକା ସାହୁ ବାଲ୍ୟ ବିବାହ ରୋକିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ୭ ବର୍ଷ ଧରି ଲଢ଼େଇ କରିବା ପରେ ଶେଷରେ ମିଳିଛି ସଫଳତା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ ବି ପାଦିରଓ୍ୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି, ଦେଶରେ ବାଲ୍ୟ ବିବାହର ଅବସ୍ଥା ଅତ୍ୟନ୍ତ ଭୟଙ୍କର ।