କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ବିଲ୍ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଅଟକାଉଥିବା ମାମଲା ଧିରେ ଧିରେ ଗମ୍ଭୀର ରୂପ ନେଉଛି । ଏନେଇ ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ ବିଲ୍ ପାରିତ ନେଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ଏକ ସମୟ ନିର୍ଘଣ୍ଟ କରିଥିଲେ ସୁପ୍ରିମକୋର୍ଟ । ଏହାକୁ ନେଇ ପୁଣି ଜନସ୍ୱାର୍ଥ ମାମଲା ହେବା ପରେ ଏହା ଉପରେ ପୁଣି ବିଚାର ଚାଲିଛି । ଏସବୁ ଭିତରେ ପୁଣି ରାଜ୍ୟ ସରକାରମାନଙ୍କ ଦ୍ୱାରା ପାରିତ ହେଉଥିବା ଅର୍ଥ ବିଲ୍ ରାଜ୍ୟପାଳ ଅଟକାଇପାରିବେ କି ନାହିଁ ତାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ପ୍ରଶ୍ନ କରିଛନ୍ତି କି, ସମ୍ବିଧାନର ଧାରା ୨୦୦ ମୁତାବକ ରାଜ୍ୟପାଳମାନେ ଅର୍ଥ ବିଲ୍ ଅଟକାଇପାରିବେ କି ? ବିଲଗୁଡିକୁ ଅନୁମୋଦନ ପ୍ରସଙ୍ଗରେ ଫ୍ରେସିଡେନ୍ସିଆଲ ରେଫରେନ୍ସର ଶୁଣାଣି ବେଳେ ଜଷ୍ଟିସ ପିଏସ୍ ନରସିଂହ କହିଛନ୍ତି କି, ଏହି କ୍ଷମତା ବଳରେ ଅର୍ଥ ବିଲକୁ ମଧ୍ୟ ରୋକାଯାଇପାରିବା ଭଳି ସ୍ଥିତି ଉତ୍ପନ ହେଉଛି ।
ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିଆର ଗୱାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ ପିଏସ୍ ନରସିଂହ ଓ ଜଷ୍ଟିସ ଏଏସ୍ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେଉଛି ।
ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଯୁକ୍ତି ବାଢିଛନ୍ତି ଯେ, ସମ୍ବିଧାନର ଧାରା ୨୦୦ ମୁତାବକ ଅନୁମୋଦନ ଅଟକାଇବା ଏକ ସ୍ୱାଧୀନ କ୍ଷମତା । ମହାରାଷ୍ଟ୍ର ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏହି ଯୁକ୍ତିକୁ ସମର୍ଥନ କରିଥିଲେ ।
ଅନୁମୋଦନ ପ୍ରଦାନ, ବିଧାନସଭାକୁ ଫେରାଇବା ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସଂରକ୍ଷଣ କରିବା ବ୍ୟତୀତ ରାଜ୍ୟପାଳଙ୍କ ନିକଟରେ ଏହା ଏକ ଚତୁର୍ଥ ବିକଳ୍ପ ଉପଲବ୍ଧ । ଏଭଳି ନିଷ୍ପତ୍ତିି ନ୍ୟାୟିକ ସମୀକ୍ଷା ପାଇଁ ନୁହେଁ ବୋଲି ସେ କହିଛନ୍ତି ।
ଯେତେବେଳେ ପ୍ରଧାନ ବିଚାରିପତି ପଚାରିଥିଲେ, ଅଦାଲତ ରାଜ୍ୟପାଳଙ୍କୁ ପଚାରିପାରିବେ କି ସେ କାହିଁକି ଅଟକାଉଛନ୍ତି ? ସାଲଭେ ସ୍ପଷ୍ଟ ଭାବେ କହିଥିଲେ କି, ନା ରାଜ୍ୟପାଳ ଅଟକାଇପାରିବେ ନାହିଁ ।