କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ ସାହା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କୁ ନେଇ ଯେଭଳି ବୟାନ ଦେଲେ ତାହା ଏବେ ସାରା ଭାରତର ଲୋକଙ୍କୁ ଲଜ୍ଜିତ କରିଛି । ଏହାକୁ ନେଇ ସୁପ୍ରିମକୋର୍ଟ ଆଜି ମନ୍ତ୍ରୀ ବିଜୟ ଶାହାଙ୍କୁ କଟାକ୍ଷ କରିଛନ୍ତି । ଏହାସହ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଛନ୍ତି  ସୁପ୍ରିମକୋର୍ଟ ।

Advertisment

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର ଗୱାଇ ମନ୍ତ୍ରୀ ବିଜୟ ଶାହାଙ୍କ  ଉଦ୍ଦେଶ୍ୟରେ କହିଛନ୍ତି କି, ଆପଣ ଜଣେ ମନ୍ତ୍ରୀ ପଦରେ ଥାଇ କିଭଳି ବୟାନ ଦେଉଛନ୍ତି, ଏହା କ'ଣ ମନ୍ତ୍ରୀ ପଦର ଗରିମା ନଷ୍ଟ କରୁନାହିଁ କି ? ସାମ୍ବିଧାନିକ ପଦରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୁହଁରେ ଏଭଳି ଭାଷା ଆଶା କରାଯାଏ ନାହିଁ । ଯେତେବେଳେ ଦେଶ ଏକ ଘଡିସନ୍ଧି ସମୟ ଦେଇ ଗତି କରୁଛି ସେତେବେଳେ ଜଣେ ମନ୍ତ୍ରୀଙ୍କ ଏଭଳି ବୟାନ ସାରା ଦେଶର ଲୋକଙ୍କୁ ଲଜ୍ଜିତ କରିଛି । 

ସେପଟେ ସୁପ୍ରିମକୋର୍ଟରେ ବିଜୟ ଶାହାଙ୍କ ଓକିଲ ସଫେଇ ଦେଇ କହିଛନ୍ତି କି, ଏହି ଭୁଲ ପାଇଁ ମନ୍ତ୍ରୀ କ୍ଷମାପ୍ରାର୍ଥନା କରିସାରିଛନ୍ତି । ମନ୍ତ୍ରୀଙ୍କ ବୟାନକୁ ଗଣମାଧ୍ୟମ ବଢେଇ ଚଢେଇ ପ୍ରସାରଣ କରୁଥିବା କଥା ମନ୍ତ୍ରୀଙ୍କ ଓକିଲ ଅଭିଯୋଗ କରିଛନ୍ତି । 

ମୁଖ୍ୟ ବିଚାରପତି କହିଛନ୍ତି କି, ଆପଣ ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ ହାଇକୋର୍ଟ କାହିଁକି ଗଲେ ନାହିଁ । ଆସନ୍ତା କାଲି ଆମେ ଏହି ମାମଲାର ଶୁଣାଣି କରିବୁ । ୨୪ ଘଣ୍ଟା ମଧ୍ୟରେ କିଛି ହେବାର ନାହିଁ । ମୁଖ୍ୟ ବିଚାରପତି ଏଭଳି କହି ମନ୍ତ୍ରୀଙ୍କ ବିପକ୍ଷରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ମାମଲା ରୁଜୁ କରିବା ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି । 

ବିଜୟ ଶାହାଙ୍କ ବିରୋଧରେ ହୋଇଥିବା ମାମଲାରେ ଗମ୍ଭୀର ଧାରା ଲଗାଯାଇଛି । ଧାରା ୧୫୨, ୧୯୬(୧),(ବି), ୧୯୭୮ (୧)(ସି) ଆଧାରରେ ମାମଲା ରୁଜୁ କରାଯାଇଛି । ଏହି ମାମଲା ବିରୋଧରେ ବିଜୟ ଶାହାଙ୍କ ଓକିଲ ସୁପ୍ରିମକୋର୍ଟରେ ପହଂଚିଥିଲେ ।