କନକ ବ୍ୟୁରୋ: ରାଜସ୍ଥାନ କୋଟାରେ ଲଗାତାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କଡ଼ା ମନୋଭାବ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ । ଛାତ୍ରଙ୍କ ମୃତ୍ୟୁ ପରେ କାହିଁକି ଏଫଆଇଆର ଦାଏର ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
କୋଟାରେ ନିକଟରେ ଜଣେ ନିଟ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଏଫଆଇଆର ଦାଏର କରାଯାଇନଥିବାରୁ ପୁଲିସ ଉପରେ ବର୍ଷିଛନ୍ତି କୋର୍ଟ । ରାଜସ୍ଥାନ ସରକାରଙ୍କ ଉପରେ ବି ପ୍ରଶ୍ନ ଉଠାଇଛନ୍ତି । କୋଟାରେ ବାରମ୍ବାର ଛାତ୍ର ଆତ୍ମହତ୍ୟା ଘଟୁଥିଲେ ବି ରାଜ୍ୟ ସରକାର କରୁଛନ୍ତି କ’ଣ? କେବଳ କୋଟାରେ ହିଁ କାହିଁକି ଏତେ ସଂଖ୍ୟକ ଛାତ୍ର ମୃତ୍ୟୁ ହେଉଛି ? ଏ ମାମଲାରେ ଏସଆଇଟି କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ଜେବି ପାରଦୀୱାଲା ଓ ଆର. ମହାଦେବନଙ୍କ ଖଣ୍ଡପୀଠ ।
ମୃତ ନିଟ୍ ଛାତ୍ରଙ୍କ ମାମଲାରେ ଏଫଆଇଆର ହୋଇନଥିବାରୁ ସ୍ଥାନୀୟ ପୁଲିସ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ପୁଲିସ ଜାଣିଶୁଣି ଆଇନ ଉଲ୍ଲଙ୍ଘନ କରୁଛି । ଯଦି ଏଭଳି ବେପରୁଆ ଭାବ ଜାରି ରହେ ତେବେ କୋର୍ଟ କଡ଼ା ହେବେ ବୋଲି ଚେତାଇଦେଇଛନ୍ତି । ଏଭଳି ଘଟଣାକୁ ହାଲକା ଭାବେ ନନେବାକୁ କହିଛନ୍ତି କୋର୍ଟ ।