କନକ ବ୍ୟୁରୋ : ବୁଧବାର ଦିନ ସୁପ୍ରିମକୋର୍ଟ କହିଛନ୍ତି କି, ନବନିର୍ବାଚିତ ରାଜ୍ୟ ସରକାର ରାଜ୍ୟପାଳଙ୍କ ଇଚ୍ଛାରେ ଚାଲିପାରିବ ନାହିଁ । ଯଦି କୌଣସି ବିଲ୍ ରାଜ୍ୟ ବିଧାନସଭାରୁ ପାରିତ ହୋଇ ରାଜ୍ୟପାଳଙ୍କ ପାଖକୁ ଯାଉଛି ତେବେ ରାଜ୍ୟପାଳ ତାହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇପାରିବେ ନାହିଁ । 

Advertisment

ସମ୍ବିଧାନର ଅନୁଛେଦ ୨୦୦ ମୁତାବକ ରାଜ୍ୟପାଳଙ୍କ ପାଖରେ ୪ ଟି ବିକଳ୍ପ ରହିଛି । ବିଲକୁ ମଞ୍ଜୁରୀ ଦେବା, ମଞ୍ଜୁରୀକୁ ଅଟକାଇବା, ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ଓ ପୁଣିଥରେ ବିଚାର ପାଇଁ ବିଧାନସଭାକୁ ପରାମର୍ଶ ଦେବା । ଯଦି ବିଧାନସଭାରେ ସେହି ବିଲ ଦ୍ୱିତୀୟ ଥର ପାରିତ କରାଯ୍ଧବ ରାଜ୍ୟପାଳଙ୍କ ନିକଟକୁ ପଠାଯାଉଛି ତେବେ ଏହାକୁ ମଞ୍ଜୁରୀ ପ୍ରଦାନ କରିବାକୁ ରାଜ୍ୟପାଳ ବାଧ୍ୟ । 

ମୁଖ୍ୟ ବିଚାରପତି ବିଆର ଗବାଇଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ବିଚାରପତିଙ୍କ ପୀଠ କହିଛନ୍ତି କି, ଯଦି ରାଜ୍ୟପାଳ ପୁର୍ନବିଚାର ନକରି ବିଲକୁ ଅଟକାଉଛନ୍ତି ତେବେ ନିର୍ବାଚିତ ସରକାର ରାଜ୍ୟପାଳଙ୍କ ଇଚ୍ଛା ଉପରେ ଚାଲିବା ପାଇଁ ବାଧ୍ୟ ହେବ । କୋର୍ଟ କହିଛନ୍ତି ଯେ, ରାଜ୍ୟପାଳଙ୍କ ପାଖରେ ଏଭଳି କିଛି କ୍ଷମତା ନାହିଁ ଯେ ସେମାନେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବିଲକୁ ଅଟକାଇ ରଖିବେ । 

ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନରାଲ ତୁଷାର ମେହେଟ୍ଟା ଦଲିଲ୍ ଦେଇଥିଲେ କି, ରାଜ୍ୟପାଳଙ୍କୁ କେବଳ ପୋଷ୍ଟମ୍ୟାନ ଭୂମିକାରେ ରଖାଯାଇପାରିବ ନାହିଁ । ତାଙ୍କ ପାଖରେ କିଛି ସାମ୍ବିଧାନିକ ଅଧିକାର ରହିଛି ଓ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ । 

ବରିଷ୍ଠ ଓକିଲ କପିଲ୍ ଶିବଲ ତୁଷାର ମେହେଟ୍ଟାଙ୍କ ଦଲିଲକୁ ବିରୋଧ କରି କହିଥିଲେ କି ରାଜ୍ୟପାଳଙ୍କ ପାଖରେ ଯଦି ଏଭଳି ଅଧିକାର ଅଛି ତେବେ ରାଷ୍ଟ୍ରପତି ମଧ୍ୟ କେନ୍ଦ୍ର ସରକାରଙ୍କ ବିଲକୁ ଅଟକାଇପାରିବେ । ଏସବୁକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି, ସମ୍ବିଧାନର ବ୍ୟାଖ୍ୟା ରାଜନୈତିକ ପରିସ୍ଥିତି ମୁତାବକ ବଦଳାଯାଇପାରିବ ନାହିଁ । 

ଏହି ମାମଲା ତାମିଲନାଡୁ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିଲା । ସେଠାରେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା କିଛି ବିଧେୟକକୁ ଅଟକାଇ ରଖିଥିଲେ । ଏନେଇ ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ କୋର୍ଟ କହିଥିଲେ କି ରାଜ୍ୟପାଳଙ୍କ ପାଖରେ କୌଣସି ଭିଟୋ ପାୱାର ନାହିଁ । ରାୟରେ କୁହାଯାଇଥିଲା କି, ରାଜ୍ୟପାଳଙ୍କ ପାଖକୁ ରାଜ୍ୟ ସରକାର ପଠାଉଥିବା ବିଧେୟକ ବାବଦରେ ୩ ମାସ ମଧ୍ୟରେ ରାଜ୍ୟପାଳ ନିଷ୍ପତ୍ତି ନେବାକୁ ବାଧ୍ୟ । ଏହି ମାମଲାରେ ସୁପ୍ରିମକୋର୍ଟ କେବଳ ରାଜ୍ୟପାଳ ନୁହେଁ ବରଂ ରାଷ୍ଟ୍ରପତିଙ୍କ ପାଇଁ ସମୟ ନିର୍ଘଣ୍ଟ କରିଥିଲେ । କୋର୍ଟ ଆଦେଶ ଦେଇଥିଲେ କି, ରାଜ୍ୟପାଳଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ବିଧେୟକ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଧ୍ୟ ।