କନକ ବ୍ୟୁରୋ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନ୍ୟାୟପାଳିକା ସମ୍ବନ୍ଧୀୟ ମନ୍ତବ୍ୟକୁ ନେଇ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଆଦେଶ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲଗୁଡ଼ିକ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ ।  ଧନଖଡ଼ ଦାବି କରିଛନ୍ତି ଯେ ନ୍ୟାୟପାଳିକା ଅନୁଚ୍ଛେଦ ୧୪୨କୁ ବ୍ୟବହାର କରି ସୀମା ଅତିକ୍ରମ କରୁଛି, ଯାହା ସୁପ୍ରିମକୋର୍ଟକୁ ‘ସମ୍ପୂର୍ଣ୍ଣ ନ୍ୟାୟ’ ପାଇଁ ଆଦେଶ ଜାରି କରିବାର କ୍ଷମତା ଦେଇଥାଏ । ସେ ଏହି ଅନୁଚ୍ଛେଦକୁ ‘ନ୍ୟାୟପାଳିକା ପାଇଁ ୨୪ ଘଣ୍ଟିଆ ଉପଲବ୍ଧ ପ୍ରଜାତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ମିସାଇଲ’ ବୋଲି ବର୍ଣ୍ଣନା କରିଛନ୍ତି । ସିବାଲ ଧନଖଡ଼ଙ୍କ ସୁପ୍ରିମକୋର୍ଟର କ୍ଷମତା ସମ୍ପର୍କିତ ସମାଲୋଚନା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ୧୯୭୫ର ସୁପ୍ରିମକୋର୍ଟ ରାୟକୁ ସ୍ମରଣ କରି ଧନଖଡ଼ଙ୍କୁ ପ୍ରତିଉତ୍ତର ଦେଇଛନ୍ତି, ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରାଯାଇଥିଲା ।