କନକ ବ୍ୟୁରୋ: ଅନନ୍ତ ଅମ୍ବାନୀଙ୍କ ଘରୋଇ ଅଭୟାରଣ୍ୟ 'ବନତାରା'କୁ ମନ୍ଦିର ହାତୀଙ୍କୁ ସ୍ଥାନାନ୍ତରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ ତେବେ ମନ୍ଦିର ହାତୀମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନର 'ବନତାରା'କୁ ସ୍ଥାନାନ୍ତର କରିବାରେ କୌଣସି ଭୁଲ୍ ନାହିଁ । ଗୁଜରାଟରେ ଥିବା ବନ୍ୟଜନ୍ତୁ କେନ୍ଦ୍ରକୁ ହାତୀଙ୍କ ସ୍ଥାନାନ୍ତରକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି । ସୁପ୍ରିମ୍‌କୋର୍ଟର ଖଣ୍ଡପୀଠ କହିଛନ୍ତି ଯେ, ଏହି ପ୍ରସଙ୍ଗର ଯାଞ୍ଚ ପାଇଁ ନିଯୁକ୍ତ କମିଟି ଏହାର ରିପୋର୍ଟ ଦାଖଲ କରିଛି, ଯେଉଁଥିରେ ନିୟାମକ ଅନୁପାଳନରେ ସନ୍ତୋଷ ବ୍ୟକ୍ତ କରାଯାଇଛି । 

Advertisment

ଅନନ୍ତ ଅମ୍ବାନୀଙ୍କ ‘ବନତାରା’ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ, ରିଲାଏନ୍ସ ଫାଉଣ୍ଡେସନର ବନ୍ୟଜନ୍ତୁ ଅଭୟାରଣ୍ୟ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମ୍ପୂର୍ଣ୍ଣ ସହଯୋଗ କରିଛି । କିନ୍ତୁ ଏହି ରିପୋର୍ଟରେ କିଛି ମାଲିକାନା ଓ ଗୋପନୀୟ ସୂଚନା ଅଛି ଯାହା ସାର୍ବଜନୀନ କରାଯିବା ଉଚିତ ନୁହେଁ । ସେପଟେ କୋର୍ଟ କହିଛନ୍ତି, ଆମେ ରିପୋର୍ଟ ଉପରେ ଦୃଷ୍ଟି ଦେବୁ ଏବଂ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ‌ଡ଼େ, ତେବେ ଆମେ ନିର୍ଦ୍ଦେଶ ଦେବୁ । ଆମେ ଏପର୍ଯ୍ୟନ୍ତ ଜାଣିଶୁଣି ରିପୋର୍ଟ ଖୋଲିନୁ, କମିଟି ତୁରନ୍ତ ଏହାର କାର୍ଯ୍ୟ କରିଛି ଏବଂ ଆମେ ଏହାକୁ ପ୍ରଶଂସା କରୁଛୁ । 

ସୁପ୍ରିମ୍‌କୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଚେଲମେଶ୍ୱରଙ୍କ ନେତୃତ୍ୱରେ ଚାରିଜଣିଆ ଏସ୍ଆଇଟି ଗଠନ କରିବାର କିଛି ସପ୍ତାହ ପରେ ଏହି ମନ୍ତବ୍ୟ ଆସିଛି । ବେଆଇନ ଭାବେ ପ୍ରାଣୀ, ବିଶେଷ କରି ହାତୀ ଅଧିଗ୍ରହଣ, ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ଓ ଅନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ, ପ୍ରାଣୀ ଚିକିତ୍ସା ଓ କଲ୍ୟାଣ ମାନଦଣ୍ଡ, ଅଭୟାରଣ୍ୟ ପରିବେଶର ଉପଯୁକ୍ତତା ଓ ଆର୍ଥିକ ସ୍ୱଚ୍ଛତା ଆଦି ଦାବିର ଯାଞ୍ଚ କରିବା ପାଇଁ ଏସ୍‌ଆଇଟିକୁ ଦାୟିତ୍ୱ ଦିଆଯାଇଥିଲା । ହଜାର ହଜାର ଏକର ଜମିରେ ସ୍ଥାପିତ 'ବନତାରା' ବିଶ୍ୱର ସର୍ବବୃହତ୍ ଘରୋଇ ପରିଚାଳିତ ପ୍ରାଣୀ ଯତ୍ନ କେନ୍ଦ୍ର ଭାବରେ ଉଭା ହୋଇଛି, ଯେଉଁଠି ଉଦ୍ଧାର ହୋଇଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସଂରକ୍ଷଣ ପ୍ରକଳ୍ପ ରହିଛି ।