କନକ ବ୍ୟୁରୋ: ଚଳଚ୍ଚିତ୍ର ଅଭିନେତା କମଳ ହାସନଙ୍କୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବେଠାରୁ ବିଧାନସଭା ନିର୍ବାଚନ ପାଇଁ ଗୋଟିଚାଳନା କରିଛନ୍ତି । ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଟିଭିକେକୁ ଏବେଠାରୁ ପ୍ରତିହତ କରିବାକୁ ଡିଏମକେକୁ କମଳ ହାସନ ସାହାଯ୍ୟ କରିପାରିବେ ବୋଲି ଷ୍ଟାଲିନ୍ ଆଶା ରଖିଛନ୍ତି ।
ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କମଳ ହାସନଙ୍କୁ ସମର୍ଥନ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ ହିନ୍ଦୀ ଭାଷାର ପ୍ରୟୋଗକୁ ଦାକ୍ଷିଣାତ୍ୟ ରାଜ୍ୟରେ ବିଶେଷ କରି ଷ୍ଟାଲିନ୍ ଜୋରଦାର ବିରୋଧ କରୁଛନ୍ତି । ସେହିଭଳି ନିର୍ବାଚନ ମଣ୍ଡଳୀ ପୁନର୍ଗଠନକୁ ମଧ୍ୟ ଷ୍ଟାଲିନ୍ଙ୍କ ବିରୋଧ ବେଶ୍ ଜଣାଶୁଣା । ଏଥିପାଇଁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ସମ୍ମିଳନୀ କରିବା ସହ ଏହି ଅଭିଯାନର ନେତୃତ୍ବ ନେଉଛନ୍ତି ଷ୍ଟାଲିନ୍ । ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମଧ୍ୟ ଲୋକପ୍ରିୟ କମଲ ହାସନଙ୍କ ଜରିଆରେ ସଂସଦରେ ଏହି ପ୍ରସଙ୍ଗକୁ ଜୋରଦାର କରିବାକୁ ସେ ଆଶା ରଖିଛନ୍ତି ।
ଦ୍ବିତୀୟ କାରଣଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ୨୦୨୬ରେ ହେବାକୁ ଯାଉଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଏଆଇଏଡିଏମକେ ମେଣ୍ଟରେ ସାମିଲ ହେବାକୁ ଅଭିନେତା ବିଜୟଙ୍କ ନୂଆ ଦଳ ଟିଭିକେ ଉପରେ ଚାପ ପଡୁଛି । ଇତି ମଧ୍ୟରେ ପୁରୁଣା ତିକ୍ତତା ଭୁଲି ଏଆଇଏଡିଏମକେ ବିଜେପି ସହ ପୁଣିଥରେ ମେଣ୍ଟ କରିଛି । ଆଉ ଏହି ମେଣ୍ଟରେ ଥାଲାପତି ବିଜୟ ସାମିଲ ହେଲେ ଡିଏମକେ ପାଇଁ ଏହା ସତର୍କଘଣ୍ଟି ସଦୃଶ ହେ ବ। ଏଥିପାଇଁ ଏବେଠାରୁ ଷ୍ଟାଲିନ୍ ତାଙ୍କର ଗୋଟିଚାଳନା ଆରମ୍ଭ କରିଛନ୍ତି । ବିଜୟଙ୍କ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ ଦେବାକୁ କମଲ ହାସନଙ୍କୁ ଆଗକୁ ଆଣିଛନ୍ତି । ନିଜ ପୁଅ ଉଦୟନିଧି ଷ୍ଟାଲିନଙ୍କ ଷ୍ଟାର୍ ପାୱାର ସହ କମଳ ହାସନଙ୍କ ଯୋଡ଼ି ବିଜୟଙ୍କ ଉଚିତ୍ ମୁକାବିଲା କରିପାରିବେ ବୋଲି ଷ୍ଟାଲିନ୍ ଭାବୁଛନ୍ତି ।
ବିଧାନସଭା ନିର୍ବାଚନ ପାଇଁ ଡିଏମକେର ପ୍ରସ୍ତୁତି ଏଥିମଧ୍ୟରେ ଜୋରଦାରରେ ଆଗେଇଚାଲିଛି । ଜୁନ୍ ୧ ତାରିଖରେ ମଦୁରାଇରେ ଡିଏମ୍କେର ସାଧାରଣ ପରିଷଦ ବୈଠକ ବସିବାକୁ ଯାଉଛି । ଡିଏମକେର ନିଜ ମେଣ୍ଟ ସାଥି କଂଗ୍ରେସ ଓ ବାମଦଳ ସହ ସମ୍ପର୍କ ଭଲ ରହିଛି । କମଳ ହାସନଙ୍କ ଏମଏନଏମ ୨୦୧୯ ଲୋକସଭା ନିର୍ବାଚନରେ କୌଣସି ଆସନ ଜିତିପାରି ନଥିଲେ ମଧ୍ୟ ୩.୭ ପ୍ରତିଶତ ଭୋଟ୍ ପାଇଥିଲା । ଯାହାକୁ ପାଥେୟ କରି ନିଜ ଶକ୍ତି ବୃଦ୍ଧି କରିବାକୁ ଷ୍ଟାଲିନ୍ ଲକ୍ଷ ରଖିଛନ୍ତି ।