କନକ ବ୍ୟୁରୋ : ମଣ୍ଡି ଉଠିବାକୁ ହାତରେ ରହିଛି ମାତ୍ର ୪ଦିନ, ଅପେକ୍ଷାରେ ରହିଲେଣି ଆହୁରି ୭ହଜାରରୁ ଉର୍ଦ୍ଧ୍ବ ଚାଷୀ। ସେପଟେ ସରକାରୀ ପୋର୍ଟାଲରେ କିନ୍ତୁ ଟାର୍ଗେଟ ପୂରଣ ହୋଇସାରିଛି। କୋରାପୁଟ ଜିଲ୍ଲାରେ ଧାନମଣ୍ଡିରେ ଦୁର୍ନୀତିକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ସରକାରଙ୍କ ଫୁଡ଼ ପୋର୍ଟାଲରେ ମୋଟ ୮ ଲକ୍ଷ ୪୮ ହଜାର ୭୦୭ କ୍ବିଣ୍ଟାଲଧାନ କିଣା ଯାଇଥିବା ଦର୍ଶାଯାଇଛି । ଅର୍ଥାତ ଟାର୍ଗେଟ ଅନୁଯାୟୀ ୯୦% ଧାନ କିଣା ସରିଥିବା ବେଳେ ୧୦% ଧାନ ଉଠିବାକୁ ବାକି ରହିଛି । ଜିଲ୍ଲାରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ ୧୬ହଜାର ୩୦୭ଜଣ ଚାଷୀ । ଆହୁରି ୭ହଜାର ଚାଷୀ ଟୋକନ ପାଇ ଧାନ ବିକ୍ରି ପାଇଁ ଅପେକ୍ଷାମଜରେ ରହିଥିବା ବେଳେ ୯୦ % ଧାନ କିପରି ବିକ୍ରି ହେଲା? ନାଁ କିଛି ଦୁର୍ନୀତି ହୋଇଛି ତାକୁ ନେଇ ସନ୍ଦେହ ବଢିଛି । ଏହା ଉପରେ ତଦନ୍ତ ପାଇଁ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
ବରଗଡ଼ ଜିଲ୍ଲାରେ ବି ଦେଖିବାକୁ ମିଳିଛି ମଣ୍ଡି ଅବ୍ୟବସ୍ଥାର ଚିତ୍ର। ଜିଲ୍ଲାରେ ୯୦ ହଜାରରୁ ଉର୍ଦ୍ଧ୍ବ ଚାଷୀ ପଞ୍ଜିକୃତ କରିଥିଲେ । ଏମଧ୍ୟରୁ ୮୩ହଜାର ୨୫୮ଜଣ ଚାଷୀ ଧାନ ବିକ୍ରି କରିସାରିଥିବା ବେଳେ ଅପେକ୍ଷାରେ ରହିଛନ୍ତି ୭ହଜାର ୭୪୮ ଜଣ ଚାଷୀ। ଜୁନ୍ ୩୦ ଶେଷ ତାରିଖ ରହିଥିବା ବେଳେ ଏହା ମଧ୍ୟରେ ଧାନ ଉଠିବ ତ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ସେପଟେ ମଣ୍ଡିରୁ ଧାନ ନଉଠିବାକୁ ନେଇ ବ୍ରହ୍ମଗିରିରେ ଶତାଧିକ ଚାଷୀ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । କୌଣସି ଚାଷୀଙ୍କ ଟୋକନ ଲାପ୍ସ ହେବନି, ଦରକାର ପଡ଼ିଲେ ସରକାର ଟାର୍ଗେଟ ବଢାଇବେ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ଯାଏଁ ସରକାର ୧୬ଲକ୍ଷ ମେଟ୍ରିକ ଟନ୍ ରବି ଧାନ କିଣି ସାରିଛନ୍ତି । ଏହା ବାବଦରେ ୨ଲକ୍ଷ ୩୦ହାଜର ଚାଷୀଙ୍କୁ ୪ହଜାର ୯୩୫ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ମଣ୍ଡି ମାନଙ୍କରେ ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାଯାଉଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅବ୍ୟବସ୍ଥିତ ଚିତ୍ର ବାସ୍ତବତାକୁ ପଦାରେ ପକାଇଛି ।