କନକ ବ୍ୟୁରୋ: ଆୟକର ପାଇଁ ରାସନକାର୍ଡ କଟିବାକୁ ନେଇ ତୁମ୍ବିତୋଫାନ ଭିତରେ ଯୋଗାଣ ମନ୍ତ୍ରୀ ହିତାଧିକାରୀଙ୍କୁ ଆଶ୍ବସ୍ତ କରିଛନ୍ତି । ଆୟକର ଦାଖଲ କରୁଥିଲେ ମଧ୍ୟ ରାସନକାର୍ଡ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ନିୟମକୁ ଜଳାଞ୍ଜଳି ଦେବାକୁ କାହିଁକି ଚାହୁଁଛନ୍ତି ମନ୍ତ୍ରୀ?
କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଓ ସହରାଞ୍ଚଳରେ ମାସିକ ୧୫ ହଜାରରୁ ଅଧିକ ଆୟ ଥିଲେ କଟିବ ରାସନକାର୍ଡ । ଆୟକର ଦାଖଲ କରୁଥିଲେ ରାସନକାର୍ଡ ହିତାଧିକାରୀ ହୋଇପାରିବେନି । ଯେଉଁଥିପାଇଁ ରାସନକାର୍ଡ ତାଲିକାରୁ ଅନେକ ହିତାଧିକାରୀଙ୍କ ନାଁ କଟିଥିଲା । କିନ୍ତୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବୟାନ ଏବେ ହିତାଧିକାରୀଙ୍କୁ ଆଶ୍ବସ୍ତି କମ ଦ୍ବନ୍ଦ୍ବରେ ଅଧିକ ପକାଇଛି । ଆୟକର ଦାଖଲ କରୁଥିଲେ ମଧ୍ୟ ରାସନକାର୍ଡ କଟିବନି ବୋଲି କହିଛନ୍ତି ମନ୍ତ୍ରୀ ।
ରାସନକାର୍ଡକୁ ନେଇ ମନ୍ତ୍ରୀଙ୍କ ଗୋଳମାଳିଆ ବୟାନ ଭିତରେ ଘେରିଛନ୍ତି ବିରୋଧୀ । ବିଜେଡି କହିଛି, ପକେଇଥିବା ଛେପ ଢୋକୁଛ କାହିଁକି ? ବିଭ୍ରାନ୍ତିକର ମନ୍ତବ୍ୟ ମନ୍ତ୍ରୀଙ୍କ ସମ୍ମାନ ହାନି କରୁଛି । ସେହିଭଳି କଂଗ୍ରେସ କହିଛି, ଡବଲ ଇଞ୍ଜିନ ସରକାରରେ କାହାର କାହା ଭିତରେ ସାମଞ୍ଜସ୍ୟ ନାହିଁ । ତାଲିକାରୁ ନାଁ କାଟି ଲୋକଙ୍କୁ ହଇରାଣ ନକରନ୍ତୁ ।
ଆୟକର ପାଇଁ କଟିଥିବା ରାସନକାର୍ଡ ହିତାଧିକାରୀଙ୍କ ଘରକୁ ଘର ବୁଲି ଭେରିଫିକେସନ କରିବେ ବିଭାଗୀୟ ଅଧିକାରୀ । ଯାଞ୍ଚ ରିପୋର୍ଟରେ କାହାର କେତେ ଆୟ ଦେଖି ରାସନକାର୍ଡ କାଟିବା ନେଇ ନିଷ୍ପତ୍ତି ନେବେ ସରକାର ।