କନକ ବ୍ୟୁରୋ: ପୃଥିବୀରେ ଏପରି ଅନେକ ରହସ୍ୟମୟ ଏବଂ ଭୟାନକ ସ୍ଥାନ ଅଛି, ଯାହାର କାହାଣୀ ଶୁଣିଲେ ଦେହ ଶୀତେଇ ଉଠେ । ଏହିଭଳି ଏକ ସ୍ଥାନ ହେଉଛି ମେକ୍ସିକୋ ସିଟି ନିକଟରେ ଥିବା "ଲା ଇସ୍ଲା ଡେ ଲାସ୍ ମୁନେକାସ୍" ବା "ମୃତ କଣ୍ଢେଇଙ୍କ ଦ୍ଵୀପ" । ଏହା ଏକ ଛୋଟ ଦ୍ଵୀପ, ଯାହା ଏକ ଜଙ୍ଗଲ ଭଳି ଦେଖାଯାଏ । କିନ୍ତୁ ଏହାର ବିଶେଷତା ହେଉଛି ଏଠାରେ ଗଛ ଡାଳରେ ହଜାର ହଜାର ଭଙ୍ଗା, ମଇଳା, ଏବଂ ଭୟଙ୍କର ଦିଶୁଥିବା କଣ୍ଢେଇ ଝୁଲୁଛି । ଏହି ସ୍ଥାନ ଏତେ ଭୟଙ୍କର ଯେ ଲୋକମାନେ ଦିନ ବେଳେ ମଧ୍ୟ ଏଠାକୁ ଏକା ଯିବାକୁ ସାହସ କରନ୍ତି ନାହିଁ ।
କ’ଣ ରହିଛି ଏହି ଦ୍ଵୀପର କାହାଣୀ?
ଏହି ଦ୍ଵୀପର ରହସ୍ୟମୟ କାହାଣୀ ଡନ୍ ଜୁଲିୟାନ୍ ସାନ୍ତାନା ବାରେରା ନାମକ ଜଣେ ବ୍ୟକ୍ତିଙ୍କ ସହ ଜଡ଼ିତ । କୁହାଯାଏ ଯେ ପ୍ରାୟ ୫୦ ବର୍ଷ ପୂର୍ବେ ଜୁଲିୟାନ୍ ଏହି ଦ୍ଵୀପର ଏକମାତ୍ର ବାସିନ୍ଦା ଏବଂ ଦେଖାରଖା କରୁଥିଲେ । ଦିନେ ସେ ନିକଟସ୍ଥ ନାଳରେ ଜଣେ ଛୋଟ ଝିଅର ମୃତଦେହ ଭାସୁଥିବାର ଦେଖିଲେ । ଏହି ଘଟଣା ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିଲା । କିଛି ସମୟ ପରେ, ସେହି ସ୍ଥାନରୁ ତାଙ୍କୁ ଏକ କଣ୍ଢେଇ ମିଳିଲା । ଜୁଲିୟାନ୍ ବିଶ୍ୱାସ କଲେ ଯେ ଏହି କଣ୍ଢେଇଟି ସେହି ମୃତ ଝିଅର ଥିଲା ଏବଂ ଝିଅର ଆତ୍ମା ଏହି ଦ୍ଵୀପରେ ବୁଲୁଛି । ସେହି ଆତ୍ମାର ଶାନ୍ତି ପାଇଁ ଏବଂ ତାକୁ ଖୁସି କରିବା ପାଇଁ ସେ ସେହି କଣ୍ଢେଇଟିକୁ ଏକ ଗଛରେ ଟାଙ୍ଗି ଦେଲେ । ଏହି ଗୋଟିଏ ଘଟଣାରୁ ଏକ ଅଦ୍ଭୁତ ପରମ୍ପରା ଆରମ୍ଭ ହେଲା । ଜୁଲିୟାନ୍ ସେହି ଝିଅର ଆତ୍ମାକୁ ଖୁସି କରିବା ପାଇଁ ଏବଂ ଅନ୍ୟ ଦୁଷ୍ଟ ଆତ୍ମାମାନଙ୍କୁ ଦୂରେଇ ରଖିବା ପାଇଁ ଯେଉଁଠାରୁ ବି କଣ୍ଢେଇ ପାଉଥିଲେ, ଆଣି ଗଛରେ ଟାଙ୍ଗିବାକୁ ଲାଗିଲେ । ସେ ପ୍ରାୟ ୫୦ ବର୍ଷ ଧରି ଏହି କାମ ଜାରି ରଖିଥିଲେ । ସେ ଅଳିଆ ଗଦାରୁ କିମ୍ବା ଲୋକଙ୍କଠାରୁ ପରିବା ବଦଳରେ ପୁରୁଣା କଣ୍ଢେଇ ଆଣି ଏଠାରେ ଟାଙ୍ଗୁଥିଲେ । ଆଜି ଏହି ସ୍ଥାନ ଏକ ଭୟାନକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି । ବର୍ଷ ବର୍ଷ ଧରି ଖରା-ବର୍ଷାରେ ରହିବା କାରଣରୁ କଣ୍ଢେଇଗୁଡ଼ିକ ଛିଣ୍ଡି ଯାଇଛି, ସେମାନଙ୍କ ଆଖି ନାହିଁ, ଅଙ୍ଗପ୍ରତ୍ୟଙ୍ଗ ଭାଙ୍ଗି ଯାଇଛି ଏବଂ ସେଗୁଡ଼ିକ ଉପରେ ମାଟି ଓ ବୁଢ଼ିଆଣୀ ଜାଲ ଲାଗି ରହିଛି । ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଦିଶୁଛି ।
ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ କୁହନ୍ତି ଯେ ସୂର୍ଯ୍ୟାସ୍ତ ପରେ ଏହି ସ୍ଥାନ ଆହୁରି ଭୟଙ୍କର ହୋଇଯାଏ । ରାତିରେ ଏଠାରୁ କାନ୍ଦିବା ଏବଂ ଫୁସଫୁସ୍ କଥା ହେବାର ଶବ୍ଦ ଶୁଭେ ବୋଲି କିଛି ଲୋକ ଦାବି କରନ୍ତି । କେହି କେହି ଏପରି ବି କୁହନ୍ତି ଯେ ଏହି କଣ୍ଢେଇମାନେ ରାତିରେ ନିଜ ଆଖି ଏବଂ ମୁଣ୍ଡ ହଲାନ୍ତି । ଏହି ସ୍ଥାନ ପ୍ରକୃତରେ ଭୂତଗ୍ରସ୍ତ ନା ଏହା କେବଳ ଜଣେ ବ୍ୟକ୍ତିର ଅନ୍ଧବିଶ୍ୱାସ ଏବଂ ଦୁଃଖର ପରିଣାମ । ତାହା ଆଜି ବି ଏକ ରହସ୍ୟ । କିନ୍ତୁ ଏହା ନିଶ୍ଚିତ ଯେ "ମୃତ କଣ୍ଢେଇଙ୍କ ଦ୍ଵୀପ" ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ ।