କନକ ବ୍ୟୁରୋ:  ଖୁବ୍ ଶୀଘ୍ର ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ । ସୁନିତା ୱିଲିୟମ୍ସ ଓ ବଚ୍‌ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ଏକ୍ସ କ୍ରୁ-୧୦ ମିଶନ ଲଞ୍ଚ କରିଛି । ଫାଲକନ୍‌-୯ ରକେଟ୍‌ ମାଧ୍ୟମରେ କ୍ରୁ-୧୦ ମିଶନ ଉତ୍‌କ୍ଷେପଣ କରାଯାଇଛି । ଭୋର ୪ଟା ୩୩ ମିନିଟ୍‌ରେ କେନେଡି ସ୍ପେସ୍‌ ସେଣ୍ଟରରୁ ଏହି ରକେଟ୍‌ ଉତ୍‌କ୍ଷେପଣ ହୋଇଛି। ଚଳିତ ମାସ ୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା ।

Advertisment

ନାସାର ଦୁଇ ମହାକାଶଚାରୀଙ୍କୁ ପୃଥିବୀପୃଷ୍ଠକୁ ଆସନ୍ତା ସପ୍ତାହରେ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି । ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିଛନ୍ତି । ଏମାନଙ୍କୁ ଆଇଏସ୍‌ଏସ୍‌ରେ ଛାଡିବା ପରେ ରକେଟ୍‌ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ସୁନିତା ଏବଂ ୱିଲମୋର ଗତବର୍ଷ ଜୁନ୍‌ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ ।

ଆଇଏସ୍‌ଏସ୍‌ରେ ୭ ଦିନ ରହିବା ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥିର ହୋଇଥିଲା । ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା ବୈଜ୍ଞାନିକମାନେ ସୁନିତା ଏବଂ ୱିଲମୋରଙ୍କ ଫେରିବା ଯାତ୍ରାକୁ ସ୍ଥଗିତ ରଖିଥିଲେ । ଫଳରେ କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀପୃଷ୍ଠକୁ ଫେରିଥିଲା ।