କନକ ବ୍ୟୁରୋ: ଶେଷ ମୁହୂର୍ତ୍ତରେ ଅଟକିଲା ସ୍ପେସ୍‌-ଏକ୍ସର ଲଞ୍ଚିଂ । ଏବେ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ାରେ ହେବ ବିଳମ୍ବ । ମହାକାଶରେ ଫସିଥିବା ସୁନିତା ଓ୍ବିଲିୟମସ ଏବଂ ତାଙ୍କର ସହଯୋଗୀଙ୍କୁ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ ଫେଣାଇ ଆଣିବାକୁ ନାସା ଓ ସ୍ପେସ-ଏକ୍ସ ପକ୍ଷରୁ ଏକ ମିଶନ ଆରମ୍ଭ କରାଯାଇଥିଲା । ବୁଧବାର ସନ୍ଧ୍ୟା ୭ଟା ୪୮ ସମୟରେ CREW-10କୁ ମହାକାଶକୁ ଉତକ୍ଷେପଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଯାନ୍ତ୍ରିକ ତୃଟି କାରଣରୁ ଏହାକୁ ଲଞ୍ଚ୍‌ କରାଯାଇ ନାହିଁ । ଧାର୍ଯ୍ୟ ସମୟର ୪୫ ମିନିଟି ପୂର୍ବରୁ ଲଞ୍ଚିଂକୁ ଅଟକାଇ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି ଏହା ପୁଣି କେବେ ଲଞ୍ଚ ହେବ ସେନେଇ ନାସା ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ଦୀର୍ଘ ଦିନ ହେବ ଫସି ରହିଛନ୍ତି ସୁନିତା ଓ ତାଙ୍କ ସହଯୋଗୀ । 

Advertisment

୨୦୨୪ ଜୁନ୍ ୨୬ ତାରିଖରେ ସୁନିତା ପୃଥିବୀପୃଷ୍ଠକୁ ଫେରିବାର ଥିଲା । ନାସାର ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍ମୋଙ୍କ ସହ ମୋଟ୍ ସାତ ଜଣ ଏବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି । ପୃଥିବୀକୁ କୌଣସି ନିର୍ଦ୍ଦିଷ୍ଟ ପ୍ରତ୍ୟାବର୍ତ୍ତନ ତାରିଖ ଧାର୍ଯ୍ୟ ହୋଇପାରିନାହିଁ ।  ବୋଇଂର ଷ୍ଟାରଲାଇନର ମହାକାଶଯାନରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା କାରଣରୁ ସେମାନଙ୍କ ଫେରିବାକୁ ଅନେକ ଥର ସ୍ଥଗିତ ରଖାଯାଇଛି । ଉଭୟ ନାସା ଏବଂ ବୋଇଂ ଆଶ୍ୱାସନା ଦେଇଛନ୍ତି ଯେ, ଅଗଷ୍ଟ ଅଧା ପର୍ଯ୍ୟନ୍ତ ଆଇଏସଏସରେ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି । ଷ୍ଟେସନ ଅପରେସନରେ ସାହାଯ୍ୟ କରୁଛି । ଏବେ ଏମାନେ ଫେରିବାର କୌଣସି ନୂଆ ତାରିଖ ନାସା ପକ୍ଷରୁ ପ୍ରକାଶ କରାଯାଇନାହିଁ ।