ଟିଭିରୁ ଆରମ୍ଭ କରି ଖବରକାଗଜ ହେଡଲାଇନ୍ , ଚା’ଖଟିରୁ ନେଇ ଅଫିସ୍ ଚ୍ୟାମ୍ବର ସବୁଠି ଏବେ ଗୋଟିଏ ନାଁ ଚର୍ଚ୍ଚାରେ .. ସୁନୀତା ୱିଲିୟମ୍ସ । ମହାକାଶରେ ଦୀର୍ଘ ୯ ମାସ ରହିବା ପରେ ଶେଷରେ ପୃଥିବୀପୃଷ୍ଠକୁ ସୁରୁଖୁରୁରେ ଫେରିଆସିଛନ୍ତି ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ । ସୁନୀତାଙ୍କ ବାହୁଡ଼ାକୁ ନେଇ ସାରା ବିଶ୍ବ ଖୁସିରେ ଝୁମୁଛି । ଏହାରି ଭିତରେ ଭାରତରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଗୁଜରାଟ ମୋହସାଣା ଜିଲ୍ଲା ତ ଯେମିତି ଉତ୍ସବ ପାଳନ କରୁଛି । ମୋହସାଣାର ଝୁଲାସନ୍ ଗାଁରେ ସୁନୀତାଙ୍କ ପିତା ଦୀପକ ପାଣ୍ଡ୍ୟାଙ୍କ ଜନ୍ମ । ଉଚ୍ଚଶିକ୍ଷା ପାଇଁ ଝୁଲାସନ୍ ଛାଡ଼ି ୧୯୫୭ ମସିହାରେ ଆମେରିକା ଚାଲିଯାଇଥିଲେ ସୁନୀତାଙ୍କ ବାପା । ମୋଟାମୋଟି ଭାବେ କହିବାକୁ ଗଲେ , ଝୁଲାସନ୍ ସୁନୀତା ୱିଲିୟମ୍ସଙ୍କ ପୈତୃକ ଗାଁ । ବର୍ତ୍ତମାନ ମଧ୍ୟ ସୁନୀତାଙ୍କ ସମ୍ପର୍କୀୟ ଏହି ଗାଁରେ ରହୁଛନ୍ତି । ୨୦୦୬ ଏବଂ ୨୦୧୩ ରେ ସୁନୀତା ନିଜେ ଗାଁକୁ ଆସି ବୁଲି ଯାଇଛନ୍ତି । 

Advertisment
sunitta 1
sunitta 1 Photograph: (google)

ରୋଚକ କଥା ହେଉଛି , ଗାଁ ଝିଅ ଯେତେବେଳେ ମହାକାଶକୁ ଗଲା ସେତେବେଳେ ପୂରା ଗାଁର ଛାତି ଗର୍ବରେ ଫୁଲିଉଠିଥିଲା । କିନ୍ତୁ ୯ ମାସର ଦୀର୍ଘ ପ୍ରତୀକ୍ଷା ସମ୍ପୂର୍ଣ୍ଣ ଗାଁକୁ ବ୍ୟଥିତ କରିଥିଲା ଆଉ ସେହି ଦିନଠାରୁ ସୁନୀତାଙ୍କ ଶୁଭ ମନାସି ଗାଁରେ ବସିଥିଲା ‘ଅଖଣ୍ଡ ଜ୍ୟୋତି’ । ଦୀର୍ଘ ୯ ମାସ ସୁନୀତା ମହାକାଶରେ ଥିଲେ ଆଉ ପୃଥିବୀରେ ତାଙ୍କ ପାଇଁ ଜଳୁଥିଲା ଅଖଣ୍ଡ ଜ୍ୟୋତି । ମହାକାଶରୁ ଫେରିବା ପରେ ଗାଁରେ ବାଣ ଫୁଟାଇ , ପରସ୍ପରକୁ ଅବିର ବୋଳି ଢୋଲ ବଜାଇ ଲୋକ ଖୁବ୍ ନାଚିଲେ ।  

williams
williams Photograph: (google)

ସୁନୀତାଙ୍କ ଦାଦା ପୁଅ ଭାଇ ନବୀନ ପାଣ୍ଡ୍ୟା କହିଲେ , ‘ଦିଦିଙ୍କ ସମ୍ମାନରେ ଆମେ ବିରାଟ ବଡ଼ ଶୋଭାଯାତ୍ରା ବାହାର କରିବୁ । ଗାଁରେ ଭୋଜିଭାତର ଆସର ଜମିବ । ପୂରା ଗାଁ ଦିଦିଙ୍କ ଫେରିବା ବାଟକୁ ଚାହିଁ ବସିଥିଲା ଭଗବାନଙ୍କ କୃପାରୁ ସୁନୀତା ଦିଦି ଭଲରେ ଭଲରେ ଫେରିଆସିଲେ । ଭବିଷ୍ୟତରେ ଝୁଲାସନ୍ ଆସିବାକୁ ଆମେ ଦିଦିଙ୍କୁ ଆମନ୍ତ୍ରିତ କରିବୁ । ସେ ପୁଣି ଗାଁକୁ ଆସିବା ଆମ ପାଇଁ ଗର୍ବର ବିଷୟ ହେବ ।’ ତେବେ ମୋହସାଣା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ଖାସ୍ ସାମଞ୍ଜସ୍ୟ ରହିଛି । ମୋହସାଣା ହେଉଛି ମୋଦୀଙ୍କ ନିଜ ଜିଲ୍ଲା । ବଡ଼ନଗରରେ ତାଙ୍କ ଜନ୍ମ , ଯାହା ଏହି ଜିଲ୍ଲା ଅନ୍ତର୍ଗତ । 

PM sunita
PM sunita Photograph: (google)

ସୁନୀତା ୱିଲିୟମ୍ସ ଗତବର୍ଷ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇ ଦୀର୍ଘ ୯ ମାସ ଅନ୍ତରୀକ୍ଷରେ ଫସିଥିଲେ । ଯେଉଁ ବୋଇଂ ଜୋ ଷ୍ଟାରଲାଇନର୍ ଯାନ ତାଙ୍କୁ ପୃଥିବୀପୃଷ୍ଠକୁ ଫେରାଇ ଆଣିଥାନ୍ତା ତାହା ଅଧାବାଟରୁ ହିଁ ଖରାପ ହୋଇଗଲା । ଯେଉଁଥିପାଇଁ ସୁନୀତାଙ୍କୁ ଦୀର୍ଘ ଦିନ ଧରି ମହାକାଶରେ ରହିବାକୁ ପଡ଼ିଥିଲା ।