କନକ ବ୍ୟୁରୋ: ୯ ମାସ ଧରି ମହାକାଶରେ ଫସିରହିଥିବା ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଖୁବଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ। ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ନାସା-ସ୍ପେଶ-ଏକ୍ସ, ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ୍ ବା ଆଇଏସଏସରେ ପହଞ୍ଚିସାରିଛି। ସେଠାରେ ପହଞ୍ଚିବା ପରେ ସୁନୀତା ଓ ବୁଚଙ୍କ ଫେରିବା ଆଶଙ୍କା ଦୂର ହୋଇଛି।
- ଦୂର ହେଲା ଚିନ୍ତା, ଫେରିବେ ସୁନୀତା
- ଆଇଏସଏସରେ ପହଞ୍ଚିଲା କ୍ରୁ-୧୦
୯ ମାସ ଧରି ମହାକାଶରେ ଫସିଥିବା ସୁନୀତା ଓ ବୁଚ୍ ୱିଲମୋରଙ୍କ ଫେରିବା ବାଟ ଫିଟିଛି। ମହାକାଶ ଷ୍ଟେସନରେ ସୁନିତାଙ୍କ ପାଖରେ ପହଞ୍ଚି ସାରିଛି ମହାକାଶ ଯାନ। ମହାକାଶ ଯାନର ଡକିଂ, ଅନଡକିଂ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏହି ପ୍ରକ୍ରିୟାରେ ମହାକାଶଯାତ୍ରୀ ସୁନିତା ଏବଂ ତାଙ୍କ ସହଯୋଗୀ ବୁଚ୍ଙ୍କୁ ମହାକାଶ ଯାନକୁ ସ୍ଥାନାନ୍ତରିତ କରାଯାଇଛି। ଯାହାର ଭିଡିଓ ମଧ୍ୟ ସେୟାର କରିଛି ନାଶା। ସ୍ପେସ୍-ଏକ୍ସ ପକ୍ଷରୁ ମଧ୍ୟ ଟ୍ବିଟ୍ କରି ମହାଶୂନ୍ୟରେ ଡକିଂ, ଅନଡକିଂ ପ୍ରକ୍ରିୟାର ଭିଡିଓ ସେୟାର କରାଯାଇଛି। ସୁନୀତାଙ୍କ ଫେରିବା ବାଟ ଫିଟିବା ପରେ ପରିବାର ଲୋକଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।
ଶୁକ୍ରବାର ଫାଲକନ୍-୯ ରକେଟ୍ ଜରିଆରେ ନାସା-ସ୍ପେଶ୍ ଏକ୍ସ କ୍ରୁ-୧୦ ମିଶନ ଲଞ୍ଚ କରିଥିଲା। ଏହି ମିଶନ୍ ଅନ୍ତର୍ଗତ ଚାରିଜଣ ମହାକାଶଚାରୀଙ୍କୁ ପଠାଯାଇଥିଲା। ମିଶନ କ୍ରୁ-୧୦ ଟିମ୍ର ସଦସ୍ୟଙ୍କ ମଧ୍ୟରେ ନାସାର ଆନ୍ନି ମ୍ୟାକ୍କ୍ଲେନ୍ ଓ ନିକୋଲ୍ ଆୟର୍ସ, ଜାପାନର ଏୟାରସ୍ପେଶ ଏକ୍ସପ୍ଲୋରେସନ୍ ଏଜେନ୍ସିର ତାକୁୟା ଓନିଶି ଓ ରୋକ୍ସୋସମୋସ କସ୍ମୋନଟ୍ର କିରିଲ ପେସ୍କୋଭ ରହିଛନ୍ତି। ଆଇଏସଏସରେ ମହାକାଶଚାରୀ ସୁନିତା ଓ ବୁଚ୍ଙ୍କ ସ୍ଥାନ ନେବେ କ୍ରୁ-୧୦। ସବୁକିଛି ଠିକ୍ ରହିଲେ ୧୯ ତାରିଖ ସୁଦ୍ଧା ସୁନୀତା ପୃଥିବୀ ପୃଷ୍ଠରେ ପାଦ ଥାପିବେ।
- ୨୦୨୪, ଜୁନ୍ ୮: ଷ୍ଟାରଲାଇନ ମହାକାଶ ଯାନରେ ଯାତ୍ରା ଆରମ୍ଭ କରିଥିଲେ ସୁନୀତା ଓ ବୁଚ୍
- ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ମହାକାଶ ପଠାଯାଇଥିଲା
- ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା
- ସେବେଠାରୁ ଫସି ରହିଛନ୍ତି ସୁନୀତା ଓ ବୁଚ୍
- ମହାକାଶରେ ସବୁଠାରୁ ଅଧିକ ସମୟ ବିତାଇଥିବା ମହିଳା ହେବାର ଗୌରବ ଅର୍ଜନ
ସୁନୀତା ଓ ବୁଚ୍ ୯ ମାସ ଧରି ମହାକାଶରେ ଅଛନ୍ତି। ଏଭଳି ସ୍ଥିତିରେ ବଡ଼ ପ୍ରଶ୍ନ ହେଉଛି, ମହାକାଶରେ ଦୀର୍ଘ ସମୟ ରହିବା ପରେ ଯେତେବେଳେ ସେମାନେ ପୃଥିବୀପୃଷ୍ଠକୁ ଫେରିବେ, ସେତେବେଳେ ଏଠାକାର ପରିସ୍ଥିତି ସହ ଖାପ ଖୁଆଇବାରେ କୌଣସି ଅସୁବିଧା ହେବ ନାହିଁ ତ?