କନକ ବ୍ୟୁରୋ: 'ଦେଶର ଶୀର୍ଷ ମାନ୍ୟତାପ୍ରାପ୍ତ ପେସାଦାର ଫୁଟ୍ବଲ୍ ଲିଗ୍ ‘ଆଇଏସ୍ଏଲ୍’ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ କରାଯାଇଛି । ସମଗ୍ର ଫୁଟ୍ବଲ୍ କ୍ରୀଡ଼ାମଣ୍ଡଳ ଏଥିନେଇ ଚିନ୍ତିତ, ଦୁଃଖିତ ଓ ଭୟଭୀତ । ବ୍ୟକ୍ତିଗତ ଭାବେ ମୁଁ ବି ବହୁତ ଚାପରେ ଅଛି । ଦେଶରେ ଫୁଟ୍ବଲ୍ର ଭବିଷ୍ୟତ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ନେଇ ଦିନକୁ ଶହ ଶହ ଫୋନ୍ କଲ୍ ଓ ମେସେଜ୍ ପାଉଛି । ସମସ୍ତେ ଭାରତୀୟ ଫୁଟ୍ବଲ୍ର ଭବିଷ୍ୟତ କ’ଣ ବୋଲି ପ୍ରଶ୍ନ କରୁଛନ୍ତି ।' ଏହା କହିଛନ୍ତି ଭାରତ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍ କରିଥିବା ଖେଳାଳି ସୁନୀଲ ଛେତ୍ରୀ । ସଂପ୍ରତି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ‘ଫୁଟ୍ବଲ୍’ର ଭାରତରେ ସାଂପ୍ରତିକ ସ୍ଥିତିକୁ ନେଇ ଘୋର ଚିନ୍ତା ଜାହିର କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତର ଫୁଟବଲ୍ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ।
ଆଇଏସ୍ଏଲ୍ରେ ବେଙ୍ଗାଲୁରୁ ଏଫ୍ସିର ପ୍ରତିନିଧିତ୍ୱ କରୁଥିବା ଛେତ୍ରୀ ନିଜ ‘ଏକ୍ସ’ ପେଜ୍ରେ ଲେଖିଛନ୍ତି, ଭାରତୀୟ ଫୁଟ୍ବଲ୍ର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ । ମୋ ପାଖକୁ ଏନେଇ ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଏପରିକି ପଡ଼ିଆ କର୍ମଚାରୀଙ୍କଠାରୁ ଶହ ଶହ ଫୋନ୍ କଲ୍ ଓ ମେସେଜ୍ ଆସୁଛି । ଭାରତୀୟ ଫୁଟ୍ବଲ୍ ସହ ସଂପର୍କ ଥିବା ପ୍ରତିଟି ବ୍ୟକ୍ତି ଏବେ ଘୋର ଅବସାଦରେ ଅଛନ୍ତି । ସର୍ବଭାରତୀୟ ଫୁଟବଲ୍ ମହାସଂଘ ଏବଂ ଆଇଏସ୍ଏଲ୍ର ଆୟୋଜକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ମାଷ୍ଟର୍ସ ରାଇଟ୍ସ ଏଗ୍ରିମେଣ୍ଟ୍ ବା ଏମ୍ଆର୍ଏ ସ୍ୱାକ୍ଷର ହୋଇ ନଥିବାରୁ ଆଇଏସ୍ଏଲ୍ର ୨୦୨୬ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି ।
ଆଇଏସ୍ଏଲ୍ ସାଧାରଣତଃ ସେପ୍ଟେମ୍ବରରୁ ଏପ୍ରିଲ୍ ମଧ୍ୟରେ ଖେଳାଯାଉଥିଲା ବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଡିସେମ୍ବର ୮ ତାରିଖରେ ଶେଷ ହୋଇଯାଉଛି । ସେତେବେଳକୁ ଆଇଏସ୍ଏଲ୍ ତା’ର ତୃତୀୟ ମାସରେ ଥିବ । ଆୟୋଜକଙ୍କ ସହ ଚୁକ୍ତିର ନୂଆ ସର୍ତ୍ତକୁ ନେଇ କୌଣସି ଆଲୋଚନା ନକରିବାକୁ AIFFକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଏହି କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି ।