କନକ ବ୍ୟୁରୋ: ଠିକାଦାର ଓ ଯନ୍ତ୍ରୀଙ୍କ ମନମାନି ଯୋଗୁଁ ଫେଲ୍ ମାରିଛି ସରକାରଙ୍କ ମୁକ୍ତା ଯୋଜନା। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ ପୌରପାଳିକା ୨୧ଟି ୱାର୍ଡ଼ରେ ବର୍ଷାଜଳ ସଂରକ୍ଷଣ ପାଇ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ଚିହ୍ନବର୍ଣ୍ଣ ମିଳୁନାହିଁ। ଫାଇଲ ଖୋଲି ଟଙ୍କା ବାଟମରଣା ଭଳି ସାଘାଂତିକ ଅଭିଯୋଗ ଆସୁଛି ଏହି ପ୍ରକଳ୍ପରୁ। ଯାହାକୁ ଦେଖିଲେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି। 

Advertisment

ବର୍ଷା ଦିନରେ ବହିଯାଉଥିବା ବର୍ଷା ପାଣିକୁ ସାଇତି ରଖିବା ପାଇଁ ହେଲା ମୁକ୍ତା ଯୋଜନା। ପୌରପାଳିକାକୁ କୋଟି କୋଟି ଟଙ୍କା ବାଣ୍ଟିଦେଲେ ପୂର୍ବ ସରକାର। ୨୦୨୧-୨୨ରେ ସୁନ୍ଦରଗଡ଼ ପୌରପାଳିକାରେ ୧୯୦ଟି ପ୍ରକଳ୍ପ ପାଇଁ ମୁକ୍ତା ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧କୋଟି ୫୨ଲକ୍ଷ ଟଙ୍କା। ସେହିଭଳି ୨୦୨୨-୨୩ରେ ସହରରେ ବିଭିନ୍ନ ସ୍ଥାନରେ ୧୯୭ଟି ପ୍ରକଳ୍ପ କରାଯାଇଛି। ସେଥିପାଇଁ ୮୦ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି। ହେଲେ ଗୋଟିଏ କାମର ଚିହ୍ନବର୍ଣ୍ଣ ନାହିଁ । ସୁନ୍ଦରଗଡ଼ ପୌରପାଳିକାକୁ ପଶିବା ମାତ୍ରେ ୩ଟି କଂକ୍ରିଟ କାମ ହୋଇଛି, ଏବେ ତାହା ମାଟିରେ ମିଶିଗଲାଣି । ପୌରପାଳିକା ରିପୋର୍ଟ କହୁଛି ୨୦୨୧-୨୨ରେ ସୁନ୍ଦରଗଡ଼ ସହର ୧ନମ୍ବର ୱାର୍ଡ଼ ସ୍ୱର୍ଗଦ୍ୱାରରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ କରାଯାଇଛି । ପ୍ରକୃତରେ କୌଣସି କାର୍ଯ୍ୟ ହୋଇନାହିଁ।

ଜଗନ୍ନାଥ ମନ୍ଦିର ପରିସର ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପ୍ରକଳ୍ପ ମଧ୍ୟ ସମାନ ଅବସ୍ଥା। ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ସମାନ ଢଙ୍ଗରେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ମୁକ୍ତା ଯୋଜନାରେ ବର୍ଷାଜଳ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ବାବଦରେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପୌରପାଳିକା ରିପୋର୍ଟ କହୁଛି । ହେଲେ ନା କାମ ହେଲା ନା ବର୍ଷାଜଳ ସଂରକ୍ଷଣ ହୋଇପାରିଛି । କେବଳ ମରାମତି ନାଁରେ ଠିକାଦାର ଓ ଯନ୍ତ୍ରୀ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଏହି ଠକେଇ ବାବଦରେ ସୁନ୍ଦରଗଡ଼ ପୌରପାଳିକା କହିଛନ୍ତି, ପୂର୍ବ ସରକାର ଯୋଜନା ଆରମ୍ଭ କରିଥିଲେ। ପୌରପାଳିକା ନିର୍ବାଚନ ପୂର୍ବରୁ କାର୍ୟ୍ୟର ବିଲ୍ କରାଯାଇଛି।
ମୁକ୍ତା ଯୋଜନା ଟଙ୍କା ଖାଇଛି କିଏ? କେବେ ହେବ ଏହାର ତଦନ୍ତ? ଦୋଷୀଙ୍କ ବିରୋଧରେ ହେବ ତ କାର୍ଯ୍ୟାନୁଷ୍ଠାନ? ଏବେ ଏମିତି ପ୍ରଶ୍ନର ଉତ୍ତରକୁ ଅପେକ୍ଷା।