କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ସୁନ୍ଦରଗଡକୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ମିଶାଇବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଆଜି ବିଜେପିକୁ ଘେରିଛନ୍ତି ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ସେ କହିଛନ୍ତି ଯେ, ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ସୁନ୍ଦରଗଡ଼ର ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି, ଉତ୍ତର ଓଡିଶା ସହିତ ନୁହଁ । ତେଣୁ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ, ସୁନ୍ଦରଗଡ଼କୁ ଉତ୍ତର ଓଡିଶାରେ ମିଶାଇବା ପାଇଁ କୌଣସି ନିଷ୍ପତ୍ତି ହୋଇନି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ, ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ । ଆଉ ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁନ୍ଦରଗଡ଼କୁ ଉତ୍ତର ଓଡିଶାରେ ମିଶେଇବେ, ଯାହାଦ୍ୱାରା କି ଜିଲ୍ଲାର ଦ୍ରୁତ ବିକାଶ ହେବ । ଏଥିରୁ ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀ ପରୋକ୍ଷରେ କହୁଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦରେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ କଥାରୁ ଜଣାପଡୁଛି ଆଞ୍ଚଳିକ ବୈଶମ୍ୟବାଦ ଅଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।
ସେପଟେ ବିଜେପି ବିଧାୟକ ସନାତନ ବିଜୁଳି ଗୃହରେ ଉଠାଇଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ ପ୍ରସଙ୍ଗ । ସେ କହିଛନ୍ତି ଯେ, ବାଙ୍ଗଲାଦେଶରୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି । ହେଲେ ରାତିରେ ଏମାନେ ଚୋରି ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଉ, ନଚେତ୍ ଆଗକୁ ଏମାନେ ବିପଦ ସୃଷ୍ଟି କରିପାରନ୍ତି ବୋଲି କହିଛନ୍ତି ସନାତନ ବିଜୁଳି।