କନକବ୍ୟୁରୋ: ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୫ ଜଣଙ୍କ ମୃତ୍ୟୁ ପରେ ପୋଲିସର ତଦନ୍ତ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍କାର୍ଡ ପହଂଚିଛନ୍ତି  । ପଶ୍ଚିମାଞ୍ଚଳ ଆଇଜି ବ୍ରିଜେଶ ରାୟ ମଧ୍ୟ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପୁଲିସର ଦୁଇଟି ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି  । ୪ ପ୍ଲାଟୁନ ଫୋର୍ସର ଏକ ଟିମ୍ ଗଠନ କରି ପୁଲିସ ସବୁ ଦିଗରେ ଖୋଜାଖୋଜି କରୁଛି । ମୃତ ୫ ଜଣଙ୍କ ମଧ୍ୟରୁ ୩ ମହିଳା ରହିଛନ୍ତି  ।

Advertisment

ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରଙ୍କ ପ୍ରଥମ ସ୍ତ୍ରୀ, ଗୋଟିଏ ପୁଅକୁ ନେଇ ଅନ୍ୟ କାହା ସହିତ ପଳାଇଯାଇଥିଲେ ।

ଏହାପରେ ଅବିନାଶ ଆଉ ଜଣେ ମହିଳାଙ୍କ ସହ ରହିଆସୁଥିଲେ । ପ୍ରଥମ ସ୍ତ୍ରୀଙ୍କ ପାଖରୁ ଜନ୍ମିତ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀଙ୍କ ପାଖରୁ ଜନ୍ମ ହୋଇଥିବା ଦୁଇଟି ସନ୍ତାନ ରହିଛନ୍ତି। ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଲୋକ ଆସି ଏମାନଙ୍କ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ । ଯାହା ଫଳରେ ତିନି ମହିଳାଙ୍କ ସହିତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଜଣେ ମହିଳା ଆହତ ହୋଇଛନ୍ତି ।