କନକବ୍ୟୁରୋ: ଗୋଷ୍ଠୀ ସଂଘର୍ଷରେ ୫ ମୃତ ୪ ଆହତ । ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ମୃତ ୫ ଜଣଙ୍କ ମଧ୍ୟରୁ ୩ ମହିଳା । ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସୂଚନା । ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ଧରିବାକୁ ପୋଲିସ ତନାଘନା ଚଳାଇଛି , ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଂଚିଛନ୍ତି ।

Advertisment

ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅବିନାଶ ପାୱାରଙ୍କ ପ୍ରଥମ ସ୍ତ୍ରୀ, ଗୋଟିଏ ପୁଅକୁ ନେଇ ଅନ୍ୟ କାହା ସହିତ ପଳାଇଯାଇଥିଲେ । ଏହାପରେ ଅବିନାଶ ଆଉ ଜଣେ ମହିଳାଙ୍କ ସହ ରହିଆସୁଥିଲେ । ପ୍ରଥମ ସ୍ତ୍ରୀଙ୍କ ପାଖରୁ ଜନ୍ମିତ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀଙ୍କ ପାଖରୁ ଜନ୍ମ ହୋଇଥିବା ଦୁଇଟି ସନ୍ତାନ ରହିଛନ୍ତି  ।

ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା ।  ଗତକାଲି ରାତି ପ୍ରାୟ ୧୧ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଲୋକ ଆସି ଏମାନଙ୍କ ଉପରେ ଭୁଜାଲି ଦ୍ବାରା ଆକ୍ରମଣ କରିଥିଲେ ।

ଯାହା ଫଳରେ ତିନି ମହିଳାଙ୍କ ସହିତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଜଣେ ମହିଳା ଆହତ ହୋଇଛନ୍ତି  । ଘଟଣା ପରେ ଅବିନାଶଙ୍କ ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଫେରାର ମାରିଛନ୍ତି ଆକ୍ରମଣକାରୀ । ଖବର ପାଇ ସଦର ଥାନା ପୋଲିସ ପହଂଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି  । ବର୍ତ୍ତମାନ ପୋଲିସର ଦୁଇଟି ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି  ।