କନକ ବ୍ୟୁରୋ : ସୁନ୍ଦରଗଡ଼ ଜଙ୍ଗଲ ଭିତରୁ କୋଟି କୋଟି ଟଙ୍କାର କୋଇଲା ଚୋରି ସାମନାକୁ ଆସିବା ପରେ ପ୍ରଶାସନର ନିଦ ହଜିଛି । ଦୀର୍ଘ ଦିନ ଧରି ଚୁପ୍ ବସିଥିବା ଜିଲ୍ଲା ପ୍ରଶାସନ ସେହି ବେଆଇନ ଖଣି ଉପରେ ଚଢ଼ାଉ ଜାରି ରଖିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଭିତରେ ପ୍ରାୟ ୭ଦିନ ବିତି ଯାଇଥିଲେ ବି କଳାହୀରା ଚୋରା କାରବାର ବାଦଶାହା କିଏ ତାର କିଛି ଟେର ମିଳିନି । ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ।
ସୁନ୍ଦରଗଡ଼ ତେଲେନଡିହି, ରତନସରା ଓ ଭୋଗରାକଛାର ଅଞ୍ଚଳରୁ କୋଟି କୋଟି ଟଙ୍କାର କୋଇଲା ଲୁଟର ପର୍ଦ୍ଦାଫାଶ ହେବା ପରେ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏମସିଏଲ କ୍ଷେତ୍ର ଅଧିନରେ ଥିବା ଅଞ୍ଚଳରୁ ଏତେ ବଡ ଲୁଟ୍ ଚାଲିଥିଲେ ବି କେହି କେମିତି ଜାଣି ପାରିଲାନି ତାହା ସମସ୍ତଙ୍କୁ ଚକିତ କରିଛି । ତେବେ କନକ ନ୍ୟୁଜ ଖଣି କେଳେଙ୍କାରୀର ପର୍ଦ୍ଦାଫାଶ କରିବା ପରେ ଦୁଇ ଦିନ ହେଲା ଚଢ଼ାଉ ଜାରି ରଖିଛି ଜିଲ୍ଲା ପ୍ରଶାସନ । ଖଣି ବିଭାଗ ଉପନିର୍ଦ୍ଦେଶକ ସମେତ ସ୍ୱତନ୍ତ୍ର ଟିମ୍ ଦ୍ୱିତୀୟ ଦିନରେ ଚଢ଼ାଉ କରିଛନ୍ତି । ହେମଗିରି ଅଞ୍ଚଳର କୋଲ ୱାସେରି ଓ କୋଲ ଡିପୋରେ ଚାଲିଛି ରେଡ୍ । ଗଛିତ ଥିବା କୋଇଲାକୁ ଜବତ କରିବା ସହ କେଉଁଠିକୁ ଯାଉଥିଲା ତାର ଚେର ଖୋଜୁଛନ୍ତି ସ୍ୱତନ୍ତ୍ର ଟିମ୍ ।
କୋଲ ୱାସେରୀ ଉପରେ ଚଢ଼ାଉ ଭିତରେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ହେମଗିରିର ପୂର୍ବତନ ତହସିଲଦାର ଲାବଣେନ୍ଦୁ ମହାନ୍ତି । ଚିଠି କଥାକୁ ସ୍ୱୀକାର କରିଥିଲେ ବି ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି । ଲେଖିଛନ୍ତି, ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କଣ ହେଲା ସେ ଜାଣି ନାହାନ୍ତି । ଲାବଣେନ୍ଦୁଙ୍କ ଏଭଳି ବିଚିତ୍ର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କୋଇଲା ଚୋରି ଧରାପଡିବାକୁ ଏହା ଭିତରେ ୭ଦିନ ବିତିଥିଲେ ବି କାର୍ପଟଦାରଙ୍କ ପାଖରେ ପହଞ୍ଚିପାରିନି ପ୍ରଶାସନ । ଯାହାକୁ ନେଇ ସନ୍ଦେହ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ଉପବାଚସ୍ପତି ଭବାନୀ ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୂରା ମାମଲା ସମ୍ପର୍କରେ ଅବଗତ କରିଥିବାବେଳେ ସ୍ଥାନୀୟ ବିଧାୟକ ଯୋଗେଶ ସିଂ ସିବିଆଇ ତଦନ୍ତ ଦାବି କରିଛନ୍ତି ।
କୋଇଲା ଲୁଟକୁ ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ପଛରେ ହାତ ଥିବା ମାଫିଆ, ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି । ତଥାପି ଏହି ପ୍ରସଙ୍ଗରେ ଖଣି ମନ୍ତ୍ରୀ ମୁହଁ ନଖୋଲିବା ଅନେକ ପ୍ରଶ୍ନବାଚୀ ସଷ୍ଟି କରିଛି ।