କନକ ବ୍ୟୁରୋ: ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ମାମଲାର ମାଷ୍ଟରମାଇଣ୍ଡ ଜର୍ଜ ମୁଣ୍ଡାକୁ ଧରି ଏସଆଇଟି କୋର୍ଟ ଚାଲାଣ କରିଛି । କୁହାଯାଉଛି ବାଙ୍କୋ ଅଞ୍ଚଳର ପଥର ଖଣିକୁ ବିରୋଧ କରୁଥିବା ଜର୍ଜ ହିଁ ନକ୍ସଲଙ୍କୁ ସୂଚନା ଦେଇ ବିସ୍ଫୋରକ ଲୁଟ୍‌ କରାଇଛି । ଦୀର୍ଘ ୧୮ ଦିନର ତନାଘନା ତଦନ୍ତ ପରେ ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଲୁଟର ମାଷ୍ଟରମାଇଣ୍ଡକୁ ଧରିଛି ଏସଆଇଟି ।  

Advertisment

ଏସଆଇଟି ହେପାଜତରେ ଥିବା ଜର୍ଜ ମୁଣ୍ଡା ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଲୁଟର ମାଷ୍ଟରମାଇଣ୍ଡ । ବ୍ୟାପକ ଛାନଭିନ୍ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଜର୍ଜ ମୁଣ୍ଡା ହିଁ ବିସ୍ଫୋରକ ଲୁଟ୍‌ ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ନକ୍ସଲଙ୍କୁ ସୁନ୍ଦରଗଡ଼  ଇତମା ବାରୁଦ ଗୋଦାମରୁ ବାଙ୍କୋ ଖଣି ଅଞ୍ଚଳକୁ ବିସ୍ଫୋରକ ଯାଉଥିବା ଖବର ଦେଇଥିଲା । ପୁଲିସ କହୁଛି ପ୍ରଥମରୁ ପଥର ଖଣିକୁ ବିରୋଧ କରୁଥିବା ଜର୍ଜ, ଖଣି ବନ୍ଦ କରିବାକୁ ନକ୍ସଲଙ୍କ ସହ ହାତ ମିଶାଇ ବିସ୍ଫୋରକ ଲୁଟକୁ ସଫଳ ରୂପ ଦେଇଥିଲା । ଆଉ ଗାଡ଼ିରୁ ବିସ୍ଫୋରକ ଓହ୍ଲାଇ ମାଓବାଦୀ ଲୁଟିନେବାର ସାହିଭାଇଙ୍କ ସହ ସହାୟତା ବି କରିଥିଲା । 

କାହିଁକି ସନ୍ଦେହ କଲା ଏସ୍ଆଇଟି?
ମାଷ୍ଟରମାଇଣ୍ଡ ପାଖରେ କେମିତି ପହଞ୍ଚିଲା?  

ମେ ୨୭ରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଲୁଟ ଘଟଣା ପରେ ବାଙ୍କୋ ଅଞ୍ଚଳରେ ଖୋଳତାଡ଼ କରିଥିଲା ଏସଆଇଟି । ମାଓବାଦୀ ଗାଡ଼ିରୁ ବିସ୍ଫୋରକ ଓହ୍ଲାଇବା ପାଇଁ ପାଖ ଗାଁର କିଛି ଲୋକଙ୍କୁ ଜବରଦସ୍ତ ଘରୁ ଉଠାଇ ଆଣିଥିଲେ ବୋଲି ଜଣାପଡ଼ିଥିଲା । ପଚରାଉଚରା ସମୟରୁ ଜର୍ଜ ଉପରେ ସନ୍ଦେହ କରିଥିଲେ ରାଉରକେଲା ଏସପି । ସେ ବାଙ୍କୋ ଅଞ୍ଚଳର ଲୋକଙ୍କୁ ପଚରାଉଚରା, ଫରେନ୍ସିକ ଟେଷ୍ଟ, ମୋବାଇଲ ଡାଟାକୁ ଛାନଭିନ୍ ପରେ ଏସଆଇଟି ସ୍କାନରକୁ ଆସିଥିଲା ଅଭିଯୁକ୍ତ । ତଦନ୍ତ ବେଳେ ଏସଆଇଟି ହାତରେ ଲାଗିଥିଲା ସାଂଘାତିକ ପ୍ରମାଣ । ଆଉ ଏହାପରେ ମାଷ୍ଟରମାଇଣ୍ଡ ଜର୍ଜ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଆଇଟି । ଅନ୍ୟମାନଙ୍କ ସଂପୃକ୍ତି  ନେଇ ତଦନ୍ତ ଚାଲିଛି ।

ସେପଟେ ଲୁଟ ହୋଇଥିବା ବିସ୍ଫୋରକ ମଧ୍ୟରୁ ୨୦୦ ପ୍ୟାକେଟ ସିଡିଇଟି ବ୍ରାଣ୍ଡର ବିସ୍ଫୋରକରୁ ଆଉ ୩ ହଜାର ୮୦୦ କେଜି ବିସ୍ଫୋରକ ଓଡ଼ିଶା-ଝାଡ଼ଖଣ୍ଡ ସୀମାରୁ ଜବତ ହୋଇଛି । ସରଣ୍ଡାରେ ଅପରେସନ ପରଠୁ ପାଖାପାଖି ୪ ଟନ୍ ବିସ୍ଫୋରକ ଜବତ କରିସାରିଛି ସୁରକ୍ଷା ବାହିନୀ ।