କନକ ବ୍ୟୁରୋ : ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ୍ ହେବ ସୁନ୍ଦରଗଡ଼ ଜିଲ୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁନ୍ଦରଗଡ଼ ସଂସ୍କୃତି ଭବନରେ ମଞ୍ଚ ଉପରେ ଏବଂ ଗଣମାଧ୍ୟମକୁ ଏକଥା କହିବା ପରେ ଜୋର ଧରିଛି ପ୍ରତିବାଦର ସ୍ୱର । ବିଜେଡି, କଂଗ୍ରେସ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ତୀବ୍ର ବିରୋଧ କରିଛନ୍ତି । କିନ୍ତୁ ବିଜେପି କହିଛି, ଯାହା ବି ହେଉ ଜିଲ୍ଲାର ବିକାଶ ହେଉ ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ । ବିକାଶ ତ୍ୱରାନ୍ୱିତ ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶାରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ତେଜିଛି ରାଜନୀତି । ବିଜେଡି, କଂଗ୍ରେସ ସମେତ ବିଭିନ୍ନ ମହଲରେ ପ୍ରକାଶ ପାଇଛି ଉଦବେଗ । ପଶ୍ଚିମ ଓଡ଼ିଶାକୁ ଭାଗ ଭାଗ ପାଇଁ ଏହା ଗଭୀର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ସୁନ୍ଦରଗଡ଼ ଉପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍ ? ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସାମିଲ୍ ଅଛି ସୁନ୍ଦରଗଡ଼ ଜିଲ୍ଲା । ଏବେ ପୁଣିଥରେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । କେବଳ ଘୋଷଣା କରିନାହାନ୍ତି ବରଂ ଏଥିପାଇଁ ଟାସ୍କଫୋର୍ସ ଗଠନ ହୋଇଛି ଏବଂ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କଥା କହିଛନ୍ତି । ସେପଟେ ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ କୁସୁମ ଟେଟେ କହିଛନ୍ତି, ପଶ୍ଚିମ ଓଡ଼ିଶା କି ଉତ୍ତର ଓଡ଼ିଶା ଯାହା ସାଙ୍ଗରେ ହେଉ ଜିଲ୍ଲାର ବିକାଶ ହେଉ ।

ତେବେ ଆଗକୁ ସୁନ୍ଦରଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନା ଉତ୍ତର ଓଡ଼ିଶା ବିକାଶ ପରିଷଦରେ ରହୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।