କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ସୁଲତାଙ୍କ ମିଡ଼ିଆ ପୋଷ୍ଟ । ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ ଲେଖିଛନ୍ତି ୨୦୧୯ ମସିହା ପୁଲୱାମା ଆଟାକ୍‌ରେ ନିଆଳିର ସହିଦ୍‌ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ତାଙ୍କ କକାଙ୍କୁ ଧକ୍କା ମାରିଥିଲେ ବର୍ତ୍ତମାନର ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ତେଣୁ ପାଣ୍ଡିଆନ ତାଙ୍କୁ କ୍ଷମା ମାଗିବା ପାଇଁ ଚାପ ପକାଇଥିଲେ । ଏବେ ସେହି ପୁରୁଣା ରାଗ ସୁଝାଉଛନ୍ତି ଦେବାଶିଷ । ଇଏ ତ ଗଲା ପୋଷ୍ଟ । ହେଲେ ଏବେ ପ୍ରଶ୍ନ, ୨୦୧୯ ମସିହାରେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହା ସରକାରୀ ପଦବୀ । କିନ୍ତୁ ଜଣେ ସରକାରୀ କର୍ମଚାରୀ ରାଜନେତାଙ୍କ ଉପରେ ଚାପ କେମିତି ପକାଇଲେ ? ପରୋକ୍ଷରେ ସୁଲତା କହିଦେଇଛନ୍ତି ବିଜେଡିର ୧୯ ଗୁମର ।

Advertisment

ସୁଲତାଙ୍କ ପୋଷ୍ଟ
ଖୋଲିଲା ପାଣ୍ଡିଆନଙ୍କ ପୋଲ୍‌
ସରକାରୀ ପଦବୀରେ ଅପବ୍ୟବହାର କରିଥିଲେ ପାଣ୍ଡିଆନ
ପ୍ରତ୍ୟକ୍ଷରେ ନକହି ପରୋକ୍ଷରେ କହିଲେ ସୁଲତା
ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା

ୱାକଫ୍‌ ବିଲ୍‌କୁ ବିଜେଡି ରାଜ୍ୟସଭାରେ ସମର୍ଥନ ଦେବା ପରେ ନିଆଁ ଲାଗିଥିଲା ବିଜେଡି ରାଜନୀତିରେ । ଅର୍ଥାତ୍‌ ବିଜେଡି ନିଷ୍ପତ୍ତି ନେଇଥିଲି କି ବିଲ୍‌କୁ ବିରୋଧ କରିବ ବୋଲି । ଯଦି ବିରୋଧ କରିବାର ଥିଲା ପରବର୍ତ୍ତୀ ସମୟରେ ସମର୍ଥନ ଦେଲା କେମିତି । କାହା ନିର୍ଦ୍ଦେଶରେ ସସ୍ମିତ ଭୋଟ୍‌ ଦେଲେ ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସୋମବାର ନବୀନ ନିବାସରେ ଯେଉଁ ହାଇଡ୍ରାମା ହେଲା ତାହାକୁ ନେଇ ଚର୍ଚ୍ଚା ବି ଜୋରଦାର ହେଲା । କିଛି ବରିଷ୍ଠ ନେତା ଓ ସାଂସଦ ପାଣ୍ଡିଆନଙ୍କୁ ବିରୋଧ କଲେ । ହେଲେ କିଛି ସାଂସଦ ପାଣ୍ଡିଆନଙ୍କ ସପକ୍ଷରେ ବାହାରି ସୋସିଆଲ ମିଡିଆରେ ଲେଖିଲେ । ହେଲେ ସୁଲତାଙ୍କ ପୋଷ୍ଟ ବେଶ ଚର୍ଚ୍ଚାରେ ରହିଛି । କାରଣ ସେ କହିଦେଇଛନ୍ତି ଚାକିରିରେ ଥିବା ବେଳେ ବି ପାଣ୍ଡିଆନ ବିଜେଡି ନେତାଙ୍କ ସବୁ ନିର୍ଦ୍ଦେଶ ଦେଉଥିଲେ । 

ଏମିତି ପୋଷ୍ଟ କାହିଁକି କଲେ ?
ପୋଷ୍ଟ ପାଇଁ ନିର୍ଦ୍ଦେଶ ଥିଲା କି ?

ବିଜେଡି ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ଖାସ କରି ୱାକଫ୍‌ ବିଲ୍‌କୁ ନେଇ ଦଳ ଏବେ ଫାଳଫାଳ ହେଲାଣି । ଏହାରି ଭିତରେ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ କେମିତି ତୁ ତୁ ମେଁ ମେଁ ହେଲାଣି ତାହା ବି ସ୍ପଷ୍ଟ ହେଉଛି । ହେଲେ ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ୱାର ହେଲାଣି । ଅବଶ୍ୟ ଜଣଙ୍କ ପରେ ଜଣେ ନେତା ନବୀନ ନିବାସରେ ପହଞ୍ଚି କାହିଁକି ଏମିତି ହେଲା ସେନେଇ ଆଲୋଚନା କରୁଛନ୍ତି । ଏହାରି  ଭିତରେ ନବୀନ କହିଛନ୍ତି, ରାଜ୍ୟସଭାରେ ଯେଉଁ ଘଟଣା ଘଟିଲା ସେନେଇ ମୁଁ ସବୁ ବୁଝିବି । ହେଲେ ସେ ସେ କେବେ ବୁଝିବେ ତାହା ଏଯାଏଁ ସ୍ପଷ୍ଟ ହୋଇନି । 

ମୋଟ୍‌ ଉପରେ ବିଜେଡି ରାଜନୀତି ଏବେ ଗୋଳିଆ ହେଲାଣି । ନେତା ଓ ନେତାଙ୍କ ମଧ୍ୟରେ କଥାକଟାକଟି ପର୍ଯ୍ୟନ୍ତ ଗଲାଣି । ତେଣୁ ଆଗାମୀ ଦିନରେ ଦଳର ଅବସ୍ଥା କଣ ହେବ ସେନେଇ ଚର୍ଚ୍ଚା ବଢିଥିବା ବେଳେ ନେତା କେମିତି ଏକାଠି ରହିବେ ତାହା ଏବେ ବିଜେଡି ସୁପ୍ରିମୋଙ୍କ ବଡ଼ ଟେନସନ୍‌ ପାଲଟିଲାଣି ।