Sukhoi-30 fighter jet Photograph: (Google)
କନକ ବ୍ୟୁରୋ: ଆସାମରେ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଏକ ପ୍ରଶିକ୍ଷଣ ମିସନରେ ଥିବା ଏହି ବିମାନଟି ଯୋରହାଟ ବାୟୁସେନା କେନ୍ଦ୍ରରୁ ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ବାୟୁସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିମାନଟି ସନ୍ଧ୍ୟା ୭:୪୨ ମିନିଟରେ ଶେଷ ଥର ପାଇଁ ଯୋଗାଯୋଗରେ ଥିଲା ଏବଂ ଯୋରହାଟଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି ।
ଅଧିକ ପଢନ୍ତୁ: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍ଙ୍କ ସମେତ ୬ ଯାତ୍ରୀ ଆହତ
ବୋକାଜାନ ସବ୍-ଡିଭିଜନର ଚୋକିହୋଲା ଅଞ୍ଚଳର କିଛି ସ୍ଥାନୀୟ ବାସିନ୍ଦା ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବିମାନଟି ପଡ଼ିଥିବା ଦାବି କରିବା ପରେ ବାୟୁସେନା ପକ୍ଷରୁ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି, ମାତ୍ର ବର୍ତ୍ତମାନ ସୁଦ୍ଧା ପାଇଲଟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବାୟୁସେନାରେ ସାମିଲ ହୋଇଥିବା ଏହି ଶକ୍ତିଶାଳୀ ଦୁଇଟି ଇଞ୍ଜିନ ବିଶିଷ୍ଟ ସୁଖୋଇ ବିମାନ ବ୍ରାହ୍ମୋସ ଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବାୟୁସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ତଲାସୀ ଜାରି ରହିଛି।
Follow Us