କନକ ବ୍ୟୁରୋ: ବିଜେପିରୁ କିଏ ଯିବ ରାଜ୍ୟସଭା? ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି । ବିଶ୍ୱେଶ୍ୱର କହିଛନ୍ତି, ମମତା ମହନ୍ତ ରାଜ୍ୟସଭା ପଦ ଓ ବିଜେଡି ଛାଡି ବିଜେପି ଆସିଲେ, ପୁଣି ବିଜେପି ଟିକେଟରେ ରାଜ୍ୟସଭା ଗଲେ । ସେହିଭଳି ସୁଜିତ କୁମାର ଆସିଲେ, ସେ ବି ରାଜ୍ୟସଭା ଯିବେ । ଏଭଳି  ବୟାନ ପରେ  ଚର୍ଚ୍ଚା ବଢିଛି ଯେ  ସୁଜିତ କୁମାରଙ୍କୁ ପୁଣି ବିଜେପି ରାଜ୍ୟସଭା ପଠାଇପାରେ ।

Advertisment

ସେପ୍ଟେମ୍ୱର ୬ ତାରିଖରେ ବିଜେଡିର ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବା ପରେ ଖାଲି ପଡିଛି ଗୋଟିଏ ରାଜ୍ୟସଭା ପଦ । ଏହି ଆସନରେ ନିର୍ବାଚନ ପାଇଁ ଚଳିତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଆସନ ଜିତିବା ନିଶ୍ଚିତ । ସୁଜିତ କୁମାରଙ୍କ ଛଡା ଆଉ କିଛି ରାଜ୍ୟ ବରିଷ୍ଠ ବିଜେପି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର ।

ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ ବିଜେଡିର ଆଉ କିଛି ରାଜ୍ୟସଭା ସାଂସଦ ଦଳ ଛାଡିବେ ବୋଲି ବିଜେପିର ବରିଷ୍ଠ ନେତା ବାରମ୍ୱାର ବୟାନ ଦେଇଆସୁଛନ୍ତି । ଏଭଳି ସ୍ଥିତିରେ ବିଜେଡିର ଆଉ ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଆଉ କିଏ ଦଳ ଡେଇଁବ ସେ ଉପରେ ସମସ୍ତଙ୍କ ନଜର ରହିଛି ।