କନବ ବ୍ୟୁରୋ: ଗତକାଲି ବିଜେଡି କ୍ୟାମ୍ପ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ ସୁଜିତ କୁମାର । ଏହାପରେ ଆଜି କନକ ନ୍ୟୁଜରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସରକାରଙ୍କ ସମୟରେ କଳାହାଣ୍ଡିରେ ଅନେକ ନେତା ଆଦିବାସୀଙ୍କ ଜମିଙ୍କୁ ବେଆଇନ ଭାବରେ ହଡ଼ପ କରିଥିଲେ। ଏହାସହିତ ଜିଲ୍ଲାରେ ନିମ୍ନମାନର ଛତୁଆ ଓ ଲଡ଼ୁ ଦିଆଯାଉଥିଲା । ଏହାର ସମୀକ୍ଷା କରିବାକୁ ଯାଇଥିବା ବେଳେ ତୃତୀୟ ମହଲାରୁ ତାଙ୍କୁ ସମୀକ୍ଷା ନକରିବା ପାଇଁ ବି କୁହାଯାଇଥିଲା । ପୂର୍ବ ସରକାର ସମୟରେ ଏଭଳି ଅନେକ ଗୁମର ଖୋଲିଛନ୍ତି ସୁଜିତ କୁମାର । 

କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ସୁଜିତ କୁମାର କହିଛନ୍ତି, “୨୦୨୦ ମସିହାରେ ବିଜେଡି ସଭାପତି ରାଜ୍ୟସଭାକୁ ପଠାଇଥିଲେ । ଏଥିପାଇଁ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ । କିନ୍ତୁ ପୂର୍ବ ସରକାର ସମୟରେ କଳାହାଣ୍ଡି ଜିଲ୍ଲାରେ ଅନେକ ଦୁର୍ନୀତି ହୋଇଥିଲା । ଆଦିବାସୀଙ୍କ ଜମିକୁ ବେଆଇନ ଭାବରେ ହଡ଼ପ କରାଯାଇଥିଲା। ପିଲାଙ୍କୁ ନିମ୍ନମାନର ଛତୁଆ ଓ ଲଡ଼ୁ ବଣ୍ଟନ କରାଯାଉଥିଲା । କୌଣସି ଜିଲ୍ଲା କମିଟିରେ ମୋର କୌଣସି ଅବଦାନ ରହୁନଥିଲା । କୌଣସି କାର୍ୟ୍ୟକ୍ରମରେ ମୁଁ ଅଂଶ ଗ୍ରହଣ କରି ପାରୁନଥିଲି । କଳାହାଣ୍ଡି ଜିଲ୍ଲା ଗସ୍ତ କରି ଜଣେ ନେତା କହିଥିଲେ ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବା ପରେ ୧୫ ଦିନରେ ମଧ୍ୟରେ ମୋ ରାଜନୈତିକ କ୍ୟାରିଅର ଶେଷ କରିଦେବେ । ଏଭଳି ଥରେ ନୁହେଁ ତିନି ତିନି ଥର ଜଣେ ବିଜେଡିର ଟାଣୁଆ ନେତା କହିଛନ୍ତି ।”

ଏଭଳି ଧମକ ମିଳିବା ପରେ ସୁଜିତ କୁମାର ବିଜେଡି ସୁପ୍ରିମୋଙ୍କୁ ମଧ୍ୟ ଜଣାଇଥିଲେ । ହେଲେ କିଛି ଲାଭ ହୋଇନି ।  ଶେଷ ନିର୍ବାଚନ ଫଳାଫଳ ଆସିବାର ୩ ମାସ ପରେ ବିଜେଡି କ୍ୟାମ୍ପ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର । ଏହାପରେ ବିଜେଡିର ଅନେକ ଗୁମର ଖୋଲିଛନ୍ତି । ୨୦୨୦ରୁ ୨୦୨୩ରେ ଅନେକ ଜମି ଦୁର୍ନୀତି ହୋଇଛି । ତେବେ କେଉଁମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ସେନେଇ କୌଣସି ନାମ ନେଇ ନାହାନ୍ତି ସୁଜିତ କୁମାର । ଟେଣ୍ଡର ଫିକ୍ସିଂ ହୋଇଥିବା ବି ଅଭିଯୋଗ କରିଛନ୍ତି ସୁଜିତ କୁମାର ।